ମୁମ୍ବାଇ: ମହାରାଷ୍ଟ୍ରର ନଗର ନିଗମ ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବିଜୟ । ଦେଶର ସବୁଠୁ ଧନୀ ନଗର ନିଗମ ବିଏମସିରେ ବିଜେପି ସବୁଠୁ ବଡ ପାର୍ଟି ଭାବେ ସାମ୍ନାକୁ ଆସିଛି । ଏ ପର୍ଯ୍ୟନ୍ତ ଶିବସେନାର ଦବଦବା ଥିଲା । ୨୨୭ ସିଟ୍ ମଧ୍ୟରୁ ୧୫୮ ସିଟର ଟ୍ରେଣ୍ଡ ଆସି ସାରିଛି । ବିଜେପି ଏକାକୀ ୬୫ ସିଟରେ ଆଗୁଆ ରହିଛି । ସହଯୋଗୀ ଏକନାଥ ସିନ୍ଦେଙ୍କ ଶିବସେନା ୧୮ ସିଟରେ ଆଗୁଆ ରହିଥିବା ବେଳେ ଉଦ୍ଧବ ସେନା ୫୨ ସିଟରେ ଆଗୁଆ ରହିଛି । ଯଦି ଏହି ଟ୍ରେଣ୍ଡ ବାସ୍ତବ ଫଳାଫଳରେ ପରିଣତ ହୁଏ ତେବେ ବିଜେପି ଇତିହାସ ରଚିବ ।
ଏହିପରି ନାଗପୁରରେ ବିଜେପି ବହୁତ ମଜବୁତ ସ୍ଥିତିରେ ରହିଛି । ଜିଲ୍ଲାର ୧୫୧ ୱାର୍ଡ ମଧ୍ୟରୁ ୯୪ରେ ବିଜେପି ଆଗୁଆ ରହିଛି । ଏ ପର୍ଯ୍ୟନ୍ତ ୧୨୯ ସିଟର ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ଏଥିପାଇଁ କୁହାଯାଉଛି ୧୫୧ ସିଟ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିବା ପରେ ବିଜେପି ନିଜ ଦମରେ ଶତକ ମାରିପାରେ । ବିଜେପିର ସହଯୋଗୀ ଏକନାଥ ସିନ୍ଦେଙ୍କ ଶିବସେନାକୁ ଏ ପର୍ଯ୍ୟନ୍ତ ୨ଟି ସିଟରେ ଅଗ୍ରଣୀ ମିଳିଛି । ଆରଏସଏସର ମୁଖ୍ୟାଳୟ ଏହି ସହରରେ ବିଜେପିର ଆଖପାଖରେ କୌଣସି ପାର୍ଟି ନାହାନ୍ତି । ଦ୍ୱିତୀୟରେ ଥିବା କଂଗ୍ରେସ ୩୧ ସିଟରେ ଆଗୁଆ ରହିଛି । ଏହିପରି ବିଏମସିରେ ଠାକରେ ପରିବାରର ପତିଆରା କମୁଥିବା ଦେଖିବାକୁ ମିଳିଛି । ସେହିପରି ପୁଣେ, ନାଗପୁର ସମେତ ଅନେକ ସହରରେ ବିଜେପିର ଜଲୱା ଦେଖିବାକୁ ମିଳିଛି ।
ପୁଣେରେ ମଧ୍ୟ ବିଜେପିର ସ୍ଥିତି ମଜବୁତ ରହିଛି । ଏ ପର୍ଯ୍ୟନ୍ତ ବିଜେପି ୪୭ ସିଟରେ ଆଗୁଆ ରହିଛି । ଏହା ବ୍ୟତୀତ ଅନ୍ୟ ଦଳ ମିଶି ୨୨ ସିଟରେ ଆଗୁଆ ରହିଛି । ଏହିପରି ଭାବେ ଅଜିତ ପାୱାର ଓ ଶରଦ ପାୱାର ମିଶି ବି ବିଜେପି ଆଗରେ ଧରାଶାୟୀ ହୋଇଛନ୍ତି । ବିଜେପିର ଏହି ବିଜୟ ଇତିହାସ ରଚିବାକୁ ଯାଉଛି । ଏହି ବିଜୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସଙ୍କ ପ୍ରଭାବକୁ ଆହୁରି ସୁଦୃଢ କରିଛି। ଏହା ବାଦ୍ ମେଣ୍ଟରେ ତାଙ୍କର ଚେହେରା ଆହୁରି ବଳିଷ୍ଠ ହୋଇଯିବ । କାରଣ ଅଜିତ ପାୱାର ଏକାକୀ ଲଢି ପରାଜିତ ହୋଇଛନ୍ତି । ଏହା ବ୍ୟତୀତ ଏକନାଥ ସିନ୍ଦେଙ୍କ ଶିବସେନାର ଗତି ମଧ୍ୟ ଧିମା ପଡିବାରେ ଲାଗିଛି ।
Also read: ଦୁଇ ବିଧାୟକଙ୍କ ନିଲମ୍ବନକୁ ନେଇ ବଢିଲା ବୟାନବାଜି, ବିଜେଡିକୁ ଭକ୍ତ ଓ ରବି ପାଣିଙ୍କ ଟାର୍ଗେଟ୍