ନୂଆଦିଲ୍ଳୀ: ଲୋକସଭା ନିର୍ବାଚନ ୨୦୨୪ ପରେ ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାଂଗଠନିକ ପରିବର୍ତ୍ତନ କାମ ଜୋର ଧରିଛି । ଅନେକ ରାଜ୍ୟରେ ବିଜେପି ସଭାପତି ଚୟନ ହୋଇ ସାରିଥିବା ବେଳେ ଆଉ କିଛି ରାଜ୍ୟରେ ବାକି ରହିଛି । ଏହା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ କିମ୍ବା ଚୟନ ହେବ । ଏହାକୁ ନେଇ ବିଜେପି ଭିତରେ ମାହୋଲ ସରଗରମ ରହିଛି । ଏହି ସବୁ ମଧ୍ୟରେ ଖବର ଆସିଛି ଯେ, ବିଜେପି ପ୍ରଥମ ଥର କୌଣସି ଜଣେ ମହିଳାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିପାରେ । କାରଣ ବିଜେପି ନିକଟ ଅତୀତରେ ମହିଳା ମତଦାତାଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି । ବିଶେଷ କରି ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ହରିୟାଣା ଓ ଦିଲ୍ଲୀ ପରି ରାଜ୍ୟରେ ଦଳକୁ ଏହି ସଫଳତା ମିଳିଛି ।
ଉଲ୍ଲେଖନୀୟ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୩ ଜାନୁଆରୀରେ ସମାପ୍ତ ହୋଇ ସାରିଥିଲା । ମାତ୍ର ପାର୍ଟି ତାଙ୍କର କାର୍ଯ୍ୟକାଳକୁ ୨୦୨୪ ଜୁନ ପର୍ଯ୍ୟନ୍ତ ବିସ୍ତାର କରିଥିଲା । ଏବେ ନୂଆ ଅଧ୍ୟକ୍ଷଙ୍କ ନାଁ ଆଗାମୀ କିଛି ଦିନରେ ଘୋଷଣା ହୋଇପାରେ । ମହିଳାଙ୍କୁ ଅଧ୍ୟକ୍ଷ କରାଯିବା ନେଇ ପାର୍ଟିର ଶୀର୍ଷସ୍ତରରେ ମଧ୍ୟ ସହମତି ପ୍ରକାଶ ପାଇଛି । ମହିଳା ଅଧ୍ୟକ୍ଷ ପଦ ଦୌଡରେ ତିନି ପ୍ରମୁଖ ମହିଳାଙ୍କ ନାଁ ରହିଛି ।
ନିର୍ମଳା ସୀତାରମଣ
ବର୍ତ୍ତମାନ ଅର୍ଥମନ୍ତ୍ରୀ ଥିବା ନିର୍ମଳା ସୀତାରମଣ ପାର୍ଟି ସଂଗଠନରେ ତାଙ୍କର ଭଲ ପ୍ରଭାବ ରହିଛି । କେନ୍ଦ୍ର ସରକାରରେ ତାଙ୍କର ଲମ୍ବା ଅନୁଭବ ରହିଛି । ଏହି କାରଣରୁ ସେ ସବୁଠୁ ବଡ ଦାବିଦାର ଭାବେ ସାମ୍ନାକୁ ଆସିଛନ୍ତି । ନିକଟରେ ବିଜେପି ମୁଖ୍ୟାଳୟରେ ଜେପି ନଡ୍ଡା ଓ ସାଧାରଣ ସଂପାଦକ ବିଏଲ ସନ୍ତୋଷଙ୍କ ସହ ବୈଠକ କରିଥିଲେ । ନିର୍ମଳା ଦକ୍ଷିଣ ଭାରତୀୟ ହୋଇଥିବାରୁ ବିଜେପିର ଦକ୍ଷିଣ ବିସ୍ତାର ରଣନୀତି ପାଇଁ ମଧ୍ୟ ଫାଇଦା ସାବ୍ୟସ୍ତ ହୋଇପାରେ ।
ଡି.ପୁରନ୍ଦେଶ୍ୱରୀ
ଆନ୍ଧ୍ର ପ୍ରଦେଶ ବିଜେପିର ପୂର୍ବତନ ସଭାପତି ଡି ପୁରନ୍ଦେଶ୍ୱରୀଙ୍କ ସଂଗଠନରେ ବହୁତ ଅଭିଜ୍ଞତା ରହିଛି । ସେ ଜଣେ ବହୁଭାଷୀ ନେତା । ଅନେକ ରାଜନୈତିକ ଦଳ ସହିତ କାମ କରିବାରେ ତାଙ୍କର ଅନୁଭବ ରହିଛି । ପାର୍ଟିରେ ବ୍ୟାପକ ଭାବେ ତାଙ୍କ ପ୍ରତି ସମର୍ଥନ ରହିଛି । ତାଙ୍କୁ ଅପରେସନ ସିନ୍ଦୂର ପରି ଅନ୍ତର୍ଜାତୀୟ କୂଟନୈତିକ ଅଭିଯାନର ସଦସ୍ୟ ଥିଲେ ।
ବନାଥୀ ଶ୍ରୀନିବାସନ
ତାମିଲନାଡୁର କୋଏମ୍ବାଟୁର ଦକ୍ଷିଣ ସିଟରୁ ବିଧାୟକ ତଥା ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହି ସାରିଥିବା ବନାଥୀ ଶ୍ରୀନିବାସନ ୧୯୯୩ରୁ ବିଜେପି ସହ ଅଛନ୍ତି ଏବଂ ସଂଗଠନରେ ଅନେକ ପଦରେ କାମ କରି ସାରିଛନ୍ତି । ୨୦୨୨ରେ କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟ ମଧ୍ୟ ଥିଲେ ।
ସଂଘର ସମର୍ଥନ
ସୂତ୍ର ଅନୁଯାୟୀ, ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ(ଆରଏସଏସ) ମଧ୍ୟ ମହିଳାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବା ବିଚାରକୁ ମଧ୍ୟ ସମର୍ଥନ କରିଛି । ସଂଘ କହିଛି ଯେ, ବିଜେପିକୁ ଏବେ ଜଣେ ମହିଳାଙ୍କୁ ଶୀର୍ଷ ନେତୃତ୍ୱକୁ ଆଣିବା ଉଚିତ୍ । ଏହି ପଦକ୍ଷେପ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଧେୟକର ଭାବନା ଅନୁରୂପ ମଧ୍ୟ ରହିବ । ଯାହାର ପ୍ରଭାବ ଆଗାମୀ ନିର୍ବାଚନ ମଣ୍ଡଳୀର କ୍ଷେତ୍ରଫଳ ନିର୍ଦ୍ଧାରଣ ପରେ ଲୋକସଭାରେ ଦେଖିବାକୁ ମିଳିବ ।