ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା ଫାଇଭ ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ବିରୋଧ ଜାରି ରହିଛି । ଏହାକୁ ନେଇ ଆଜି ଦିଗପହଣ୍ଡିରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି କର୍ମୀ । ବିଜେପିର କଳା ପତାକା ପ୍ରଦର୍ଶନକୁ ନେଇ ଦୁଇ ଦଳ ହାତାହାତି ହୋଇଛନ୍ତି । ସଚିବଙ୍କ ଗସ୍ତକୁ ସାନଖେମୁଣ୍ଡିରେ ମଧ୍ୟ ଜୋରଦାର ବିରୋଧ କରିଛି ବିଜେପି । ପଟପୁର ଗାନ୍ଧୀଛକଠାରେ ଦଳପକ୍ଷରୁ ପ୍ରତିବାଦ କରାଯାଇଛି । ବିଜେପି କର୍ମୀ କଳା ପୋଷାକ ପିନ୍ଧି ବିରୋଧ କରୁଥିବା ବେଳେ ୧୦ରୁ ଅଧିକ ବିଜେପି କର୍ମୀଙ୍କୁ ଉଠାଇ ନେଇଛି ପୋଲିସ ।
ସୂଚନା ରହିଛି କି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ପୁଞ୍ଜିକୟାଁ ଛକରେ ବିଜେପି କର୍ମୀ ମାନେ ହାତରେ କଳା ପତାକା ଦେଖାଇ ରାସ୍ତାରେ ବିରୋଧ କରିଥିଲେ । ସେହିପରି ସାନଖେମୁଣ୍ଡି ଗସ୍ତ ପୂର୍ବରୁ ବିଜେପି ଜୋରଦାର ବିରୋଧ କରିଛି । ପଟପୁର ଗାନ୍ଧିଛକଠାରେ ବିଜେପି କର୍ମୀ କଳା ପୋଷାକ ପିନ୍ଧି ଗୋ ବ୍ୟାକ୍ ନାରା ଦେଇ ପ୍ରତିବାଦ କରୁଥିବା ବେଳେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ପୁଞ୍ଜିକୟାଁ ଛକରେ ଖଣ୍ଡଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । କଳା ପତାକା ଧରି ରାସ୍ତାରେ ଅବରୋଧ କରିଥିଲେ ବିଜେପି କର୍ମୀ । ଏହି ସମୟରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ସେଠି ପହଞ୍ଚି ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି । ପୋଲିସ ଉପସ୍ଥିତିରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଏପରିକି ମାଡ଼ମାରିବା ଓ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା । ପାଖାପାଖି ଅଧ ଘଣ୍ଟା ଧରି ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା । ପରେ ବିଜେପି କର୍ମୀଙ୍କୁ ସେଠାରୁ ଉଠାଇ ନେଇଛି ପୋଲିସ । ଏହି ଗଣ୍ଡଗୋଳରେ ୪ରୁ ଅଧିକ ବିଜେପି କର୍ମୀ ଆହତ ହୋଇଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅଧିକ ପଢନ୍ତୁ;-‘ଅମୃତ ବାଟିକା’ ପାଇଁ ‘ଅମୃତ କଳସ’ରେ ମାଟି ସଂଗ୍ରହ କଲେ କେନ୍ଦ୍ରମନ୍ତ୍ରୀ