ଭୁୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ । ଶୁକ୍ରବାର ନବୀନ ନିବାସରେ ଦୁଇ ନେତାଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ଏହି ସମୟରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଉଭୟ ବିଜେପି ବିରୋଧରେ ଲଢେଇ କରୁଥିବା କହିଛନ୍ତି ଅଖିଳେଶ ।
ଆଲୋଚନା ପରେ ନିଜର ପ୍ରତିକ୍ରିୟାରେ ଅଖିଳେଶ ଯାଦବ କହିଛନ୍ତି ଯେ, ଆଦରଣୀୟ ନବୀନ ପଟ୍ଟନାୟକ ଦେଶର ଜଣେ ବରିଷ୍ଠ ନେତା । ଓଡିଶାର ବିକାଶରେ ନବୀନ ପଟ୍ଟନାୟକ ଓ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ବଡ ଭୂମିକା ରହିଛି । ବିଶେଷ କରି ଗରିବଙ୍କ ସମ୍ମାନ ଓ ଉନ୍ନତି ପାଇଁ ସେମାନଙ୍କର କାର୍ଯ୍ୟ ଦେଶରେ ଉଦାହରଣ ପାଲଟିଛି ।
ଅଖିଳେଶ ଏହା ମଧ୍ୟ କହିଛନ୍ତି, ନବୀନ ବାବୁଙ୍କ ଅମଳରେ ଓଡିଶାରେ ସାଧାରଣ ଲୋକଙ୍କୁ ଜୀବନକୁ ପ୍ରଭାବିତ କରିବା ପରି କାମ ହୋଇଛି । ଲଗାତାର ୨୪ ବର୍ଷ ଶାସନ କରି ସେ ଲୋକଙ୍କ ଜୀବନ ଶୈଳୀ ବଦଳାଇଛନ୍ତି । ନବୀନଙ୍କ ସହ ଏହା ମୋର ସୌଜନ୍ୟମୂଳକ ସାକ୍ଷାତ ଥିଲା । ମୋ ବାପା ତାଙ୍କ ବାପା ଦିବଙ୍ଗତ ବିଜୁ ବାବୁଙ୍କ ସହ କାମ କରିଛନ୍ତି । ଆମ ମଧ୍ୟରେ ପୁରୁଣା ସଂପର୍କ ରହିଛି । ଆମେ ଦୁଇ ଜଣ ବିଜେପି ବିରୋଧରେ ଲଢେଇ କରୁଛୁ ବୋଲି ଅଖିଳେଶ କହିଛନ୍ତି ।
Also read: ଗୋଟିଏ ଦିନରେ ନବୀନଙ୍କ ଡବଲ୍ ଆକ୍ସନ୍ସ, ଯାଜପୁରର ଦୁଇ ନେତା ନିଲମ୍ବିତ