ଭି.କେ ପାଣ୍ଡିଆନଙ୍କୁ ମିଳିଲା ନୂଆ ଦାୟିତ୍ୱ । କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ପାଣ୍ଡିଆନଙ୍କୁ ମିଳିଲା ନିଯୁକ୍ତି । ନବୀନ ଓଡିଶା ଓ ୫ଟିର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ଭି.କେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଏଣିକି ସିଧା ସଳଖ କାମ କରିବେ । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ ଗତକାଲି ଭିକେ ପାଣ୍ଡିଆନଙ୍କୁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଗତ ୨୦ତାରିଖରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ତାଙ୍କର ଆବେଦନକୁ ଗତକାଲି କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅନୁସଚିବ ଭୂପିନ୍ଦର ପାଲ ସିଂ ଗତକାଲି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରିଥିଲେ ।
୨୦୦୦ ବ୍ୟାଚ୍ ଆଇଏଏସ୍ ଶ୍ରୀ ପାଣ୍ଡିଆନ ପଞ୍ଜାବ କ୍ୟାଡ଼ରରେ ନିଯୁକ୍ତି ପାଇଥିଲେ । କିନ୍ତୁ ଓଡ଼ିଶା କ୍ୟାଡ଼ରର ସୁଜାତା ରାଉତଙ୍କୁ ବିବାହ କରିବା ପରେ ସେ ନିଜର କ୍ୟାଡ଼ର ପରିବର୍ତ୍ତନ କରି ଓଡ଼ିଶା ଆସିଥିଲେ । ୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ କଳାହାଣ୍ଡି ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ୨୦୦୫ରୁ ୨୦୦୭ ମାର୍ଚ୍ଚ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାପାଳ, ୨୦୦୭ ଏପ୍ରିଲ ୯ରୁ ୨୦୧୧ ଏପ୍ରିଲ ୨୯ତାରିଖ ଗଞ୍ଜାମ ଜିଲ୍ଲାପାଳ ଦାୟିତ୍ୱ ତୁଲାଇଥିଲେ । ଗଞ୍ଜାମ ଜିଲ୍ଲାପାଳ ଭାବେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିଥିଲେ ଓ ୨୦୧୧ ମେ’ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗ ଦେଇଥିଲେ । ସେବେଠୁ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ଗତ ୩ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ଉଭୟ ଦାୟିତ୍ୱ ତୁଲାଉଥିଲେ ।