ପଶ୍ଚିମବଙ୍ଗ: ଭାଗ୍ୟ କେତେବେଳେ କାହା ଜୀବନରେ କେଉଁ ମୋଡ଼ ଦେବ, ତାହା କେହି କହିପାରନ୍ତି ନାହିଁ। ଗତକାଲି ଯିଏ ଅନ୍ୟ ଘରେ କାମ କରି ପରିବାର ଚଳାଉଥିଲେ, ଆଜି ସେହି ମହିଳା ରାଜ୍ୟର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହା କୌଣସି ସିନେମାର କାହାଣୀ ନୁହେଁ, ବରଂ ପଶ୍ଚିମବଙ୍ଗର ନବନିଯୁକ୍ତ ମନ୍ତ୍ରୀ କଳିତା ମାଝିଙ୍କ ଜୀବନ ସଂଘର୍ଷର ସତ କାହାଣୀ।
ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଆଉସଗ୍ରାମ ଅଞ୍ଚଳର ଏକ ଗରିବ ପରିବାରରେ ଜନ୍ମ ନେଇଥିବା କଳିତା ମାଝିଙ୍କ ଜୀବନ ଆରମ୍ଭରୁ ସଂଘର୍ଷରେ ଭରି ରହିଥିଲା। ପରିବାରର ଆର୍ଥିକ ସ୍ଥିତି ଏତେ ଦୁର୍ବଳ ଥିଲା ଯେ, ସେ ଉଚ୍ଚଶିକ୍ଷା ଗ୍ରହଣ କରିପାରି ନଥିଲେ। ଅଭାବ ତାଙ୍କୁ ପାଠପଢ଼ା ଛାଡ଼ିବାକୁ ବାଧ୍ୟ କରିଥିଲା। ଘରର ଖର୍ଚ୍ଚ ଚଳାଇବା ପାଇଁ ସେ ବିଭିନ୍ନ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ। ମାସ ଶେଷରେ ତାଙ୍କ ହାତକୁ ଆସୁଥିଲା ମାତ୍ର ୪,୫୦୦ରୁ ୫,୦୦୦ ଟଙ୍କା।
କିନ୍ତୁ ଦାରିଦ୍ର୍ୟ ତାଙ୍କ ସ୍ୱପ୍ନକୁ ଅଟକାଇ ପାରିନଥିଲା। ଲୋକଙ୍କ ସହ ନିରନ୍ତର ସମ୍ପର୍କ ଏବଂ ସାମାଜିକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ ତାଙ୍କୁ ରାଜନୀତି ଆଡ଼କୁ ଆକର୍ଷିତ କରିଥିଲା। ଲୋକଙ୍କ ସେବା କରିବାର ଇଚ୍ଛା ତାଙ୍କୁ ରାଜନୀତିରେ ପ୍ରବେଶ କରାଇଥିଲା।
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଆଉସଗ୍ରାମ ଆସନରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିଲା। ସାଧାରଣ ପୃଷ୍ଠଭୂମିରୁ ଆସିଥିବା କଳିତା ଲୋକଙ୍କ ବିଶ୍ୱାସ ଜିତି ବିଜୟୀ ହୋଇଥିଲେ। ତାଙ୍କ ବିଜୟ ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା। ଆଉ ଏବେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ସେ ଏକ ନୂଆ ଅଧ୍ୟାୟ ରଚିଛନ୍ତି।
ମନ୍ତ୍ରୀ ହେବା ପରେ କଳିତା କହିଛନ୍ତି, “ମୁଁ ଗରିବ ପରିବାରରୁ ଆସିଛି। ସାଧାରଣ ଲୋକଙ୍କ ଦୁଃଖ ଓ ସଂଘର୍ଷକୁ ମୁଁ ଭଲଭାବେ ବୁଝେ। ଲୋକମାନେ ମୋ ଉପରେ ଯେଉଁ ଭରସା ରଖିଛନ୍ତି, ତାହାକୁ ସମ୍ମାନ ଦେଇ ଜନସେବାକୁ ପ୍ରାଥମିକତା ଦେବି।”
ଘରୋଇ ସହାୟିକାରୁ ମନ୍ତ୍ରୀ ପର୍ଯ୍ୟନ୍ତ କଳିତା ମାଝିଙ୍କ ଏହି ଯାତ୍ରା କେବଳ ଜଣେ ବ୍ୟକ୍ତିଙ୍କ ସଫଳତା ନୁହେଁ, ବରଂ ସଂଘର୍ଷ, ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତିର ଏକ ପ୍ରେରଣାଦାୟକ ଉଦାହରଣ। ତାଙ୍କ କାହାଣୀ ପ୍ରମାଣ କରିଛି ସ୍ୱପ୍ନ ଦେଖିବାର ସାହସ ଥିଲେ, ଅଭାବ କେବେ ବି ସଫଳତାର ରାସ୍ତା ଅଟକାଇ ପାରେ ନାହିଁ।