ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେ ଅସୁସ୍ଥ ହୋଇପଡ଼ିଛନ୍ତି । ସୋମବାର ଦିନ ଉଦ୍ଧବଙ୍କୁ ମୁମ୍ବାଇର ଏଚ୍.ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ତାଙ୍କ ପୁଅ ଆଦିତ୍ୟ ଠାକରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।
ଆଦିତ୍ୟ ଠାକରେ, ସୋସିଆଲ ମିଡିଆ ଆକାଉଣ୍ଟ ‘X’ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ ଆଜି ସକାଳେ ପୂର୍ବ ଯୋଜନା ଅନୁଯାୟୀ ଏଚ୍.ଏନ୍ ରିଲାଏନ୍ସ ହସ୍ପିଟାଲରେ ଉଦ୍ଧବ ଠାକରେଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଆପଣମାନଙ୍କ ଶୁଭେଚ୍ଛା ଯୋଗୁଁ ସବୁକିଛି ଠିକ ଅଛି । ଏବେ ସେ କାମକୁ ଫେରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ଆଦିତ୍ୟ କହିଛନ୍ତି ।
ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ଉଦ୍ଧବ ଠାକରେଙ୍କର ହୃଦ ସମସ୍ୟା ରହିଛି । ସେଥିପାଇଁ ୨୦୧୨ରେ, ଠାକରେଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଏଞ୍ଜିଓପ୍ଲାଷ୍ଟି ମାଧ୍ୟମରେ ଷ୍ଟେଣ୍ଟ ଲଗାଯାଇଥିଲା ।