ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବାରଣାସୀ-ଲକ୍ଷ୍ନୌ ଜାତୀୟ ରାଜପଥ ଉପରେ ଦୁଇଟି ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ବସ୍ ଡ୍ରାଇଭର ଥିବାବେଳେ ୮ ଜଣ ଶ୍ରଦ୍ଧାଳୁ ରହିଛନ୍ତି । ରାମଲାଲଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯାଉଥିଲେ ବୋଲି ଜଣାପଡ଼ିଛି ।
ବାରଣାସୀ-ଲକ୍ଷ୍ନୌ ଜାତୀୟ ରାଜପଥ ସୋରଖନପୁର ନିକଟେର ଯେମିତି ଯମ ବସିଥିଲା । ଏକା ସାଙ୍ଗରେ ଦୁଇଟି ଦୁର୍ଘଟଣା ହୋଇଛି । ବୁଧବାର ବିଳମ୍ବିତ ରାତିରେ ଝାଡ଼ଖଣ୍ଡରୁ ଅଯୋଧ୍ୟା ଆସୁଥିବା ଏକ ଟାଟା ସୁମୋ ଗାଡ଼ି ସୋରଖନପୁର ନିକଟରେ ଏକ ଅଜଣା ଗାଡ଼ି ସହିତ ଧକ୍କା ହୋଇଥିଲା । ଫଳରେ ସେଥିରେ ଥିବା ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଏବଂ ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସମସ୍ତେ ବାବଧାମ ଦର୍ଶନ କରିବା ପରେ ରାମ ଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯାଉଥିଲେ ବୋଲି ଜଣାପଡ଼ିଛି ।
ଏହାର ମାତ୍ର ୩୦ ମିନିଟ୍ ସେହି ସମାନ ସ୍ଥାନରେ ଆଉ ଏକ ଦୁର୍ଘଟଣା ହୋଇଥିଲା । ଶ୍ରଦ୍ଧାଳୁଙ୍କୁ ନେଇକି ଯାଉଥିବା ଏକ ବସ୍ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ବସର ଚାଳକ ମୋନୁ ସିଂହ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ବସରେ ପ୍ରାୟ ୫୨ ଜଣ ଯାତ୍ରୀ ଥିଲେ । ଏମାନେ ମଧ୍ୟ କାଶୀ ବିଶ୍ୱନାଥ ଦର୍ଶନ ପରେ ରାମଲାଲଙ୍କ ଦର୍ଶନ ପାଇଁ ଯାଉଥିଲେ ।
ଅନ୍ୟପକ୍ଷରେ କାନପୁରରେ ଦେହାତରେ ଏକ ମିନିବସର ଟାୟର ଫାଟିବା ଦ୍ୱାରା ଗାଡ଼ିଟି ନିୟନ୍ତ୍ରଣ ହରାଇ ଏକ ହୋଟେଲ ଭିତରେ ପଶିଯାଇଛି । ଫଳରେ ଜଣେ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଥିବାବେଳେ ବସରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।