ନୂଆଦିଲ୍ଲୀ: ଭାରତର କୂଟନୈତିକ ବିଜୟ ହୋଇଛି । ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ କୁହାଯାଉଥିବା ତହବୁର ହୁସେନ ରାଣା ଭାରତରେ ପହଁଚିଛି । ଆମେରିକାରୁ ସ୍ୱତନ୍ତ୍ର ବାୟୁ ସେନା ବିମାନରେ ପାଲମପୁର ବିମାନ ବନ୍ଦରରେ ପହଁଚିବା ପରେ ଏନ୍ଆଇଏ ତାକୁ ତୁରନ୍ତ ଗିରଫ କରିଛି । ସେଠାରୁ ତାକୁ ସିଧାସଳଖ କୋର୍ଟରେ ହାଜର କରାଯିବ ।
ତହବୁରକୁ ଆଣିବାରେ ଏନଆଇଏର ତିନି ଜଣ ଆଇପିଏସଙ୍କର ବଡ଼ ଭୂମିକାରେ ରହିଛି । ଆଇପିଏସ୍ ଆଶିଷ ବାତ୍ରା, ଜୟା ରାୟ ଓ ପ୍ରଭାତ କୁମାର । ୧୯୯୭ ବ୍ୟାଚର ଆଇପିଏସ ଅଧିକାରୀ ଆଶିଷ ବାତ୍ରା ଝାଡ଼ଖଣ୍ଡ ପୋଲିସ କ୍ୟାଡରର ଅଟନ୍ତି । ସେ ଏନଆଇଏରେ ଇନ୍ସପେକ୍ଟର ଜେନେରାଲ ଭାବରେ ନିଯୁକ୍ତ ଅଛନ୍ତି । ଜେହାନାବାଦ ଏବଂ ରାଞ୍ଚି ଭଳି ଅଞ୍ଚଳରେ କାର୍ଯ୍ୟ କରିଛନ୍ତି । ୨୦୧୧ ବ୍ୟାଚ୍ ଝାଡ଼ଖଣ୍ଡ କ୍ୟାଡରର ଆଇପିଏସ୍ ଜୟା ରାୟ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ଭାବରେ କାର୍ଯ୍ୟରତ ଅଛନ୍ତି । ବର୍ତ୍ତମାନ ଏନଆଇଏରେ ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀଙ୍କ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି । ସେହିପରି ୨୦୧୯ ବ୍ୟାଚ୍ ଛତିଶଗଡ଼ କ୍ୟାଡରର ଆଇପିଏସ୍ ପ୍ରଭାତ କୁମାର ଏନଆଇଏରେ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସପି) ଭାବରେ ନିଯୁକ୍ତ ଅଛନ୍ତି । ପ୍ରଭାତ ଆମେରିକାରେ ଦଳ ସହିତ କାମ କରିଥିଲେ ଏବଂ ରାଣାଙ୍କ ଭାରତ ଆଗମନ ପାଇଁ ପ୍ରସ୍ତୁତି ପରିଚାଳନା କରିଥିଲେ । ସେ ଦିଲ୍ଲୀ ବିମାନବନ୍ଦରରୁ ଏନଆଇଏ ମୁଖ୍ୟାଳୟ ପର୍ଯ୍ୟନ୍ତ ସମଗ୍ର ଅପରେସନର ସଂଯୋଜକ ଅଟନ୍ତି । ଏହି ଦଳ ଆମେରିକାରେ ଆଇନଗତ ପ୍ରକ୍ରିୟା ସମାପ୍ତ କରିବା ପରେ ରାଣାଙ୍କୁ ହେପାଜତକୁ ନେଇଥିଲା ଏବଂ ବର୍ତ୍ତମାନ ତାଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଛି । ରାଣାଙ୍କୁ ଦିଲ୍ଲୀର ତିହାର ଜେଲରେ ରଖାଯିବ, ଯେଉଁଠାରେ ତାଙ୍କ ସୁରକ୍ଷା ଏବଂ ପଚରାଉଚରା ପାଇଁ ବ୍ୟବସ୍ଥା କରାଯାଇଛି।
୨୦୦୮, ନଭେମ୍ବର ୨୬ରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣରେ ଦୋହଲି ଯାଇଥିଲା ମାୟାନଗରୀ ମୁମ୍ବାଇ ସହର । ଏହି ବଡ଼ ଆତଙ୍କବାଦୀ ଆକ୍ରମଣ ସାରା ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଏହି ଆକ୍ରମଣରେ ୧୦ ଜଣ ଆତଙ୍କବାଦୀ ସାମିଲ ଥିବାବେଳେ କେବଳ କସାବକୁ ହିଁ ଜୀବିତ ଗିରଫ କରାଯାଇଥିଲା । ଏହା ପରେ ତହବୁରକୁ ଜୀବିତ ଗିରଫ କରାଯାଇଛି । ଆକ୍ରମଣର ୧୬ ବର୍ଷ ପରେ ତହବୁରକୁ ଭାରତକୁ ଅଣାଯାଇଛି ।
ତହବୁର ହୁସେନ ରାଣା ଏହି ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା । ଭାରତ ବାହାରେ ରହି ରଚିଥିଲା ଷଡ଼ଯନ୍ତ୍ର । ସେ କାନାଡ଼ାର ନାଗରିକତ୍ୱ ଗ୍ରହଣ କରି ସେଠାରେ ଲୁଚି ରହିଥିଲା । ଆମେରିକା ତାକୁ ଗିରଫ କରିଥିଲା ।