ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି ଗୁରୁବାର ସୁପ୍ରିମ୍କୋର୍ଟରେ ଶେଷ ହୋଇଛି । ନ୍ୟାୟାଧୀଶ ସୂର୍ଯ୍ୟକାନ୍ତ ଓ ନ୍ୟାୟାଧୀଶ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି । ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘବୀ କେଜ୍ରିୱାଲଙ୍କ ପକ୍ଷ ରଖିଛନ୍ତି । କେଜ୍ରିୱାଲ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ସିବିଆଇ ଦ୍ୱାରା ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଛନ୍ତି ।
ସୂଚନାଯୋଗ୍ୟ, ଆପ୍ ମୁଖ୍ୟଙ୍କୁ ଜୁନ୍ ୨୬ରେ ସିବିଆଇ ଗିରଫ କରିଥିଲା। ଅଗଷ୍ଟ ୧୪ ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରି ଦେଇଥିଲେ ଏବଂ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରୁଥିବା ତାଙ୍କ ଆବେଦନ ଉପରେ ତଦନ୍ତକାରୀ ସଂସ୍ଥାର ଜବାବ ମାଗିଥିଲେ। ଏହି ମାମଲାରେ ସିବିଆଇ ଦ୍ୱାରା ଜାମିନ ନାମଞ୍ଜୁର କରିବା ଏବଂ ଗିରଫ କରିବା ବିରୋଧରେ କେଜ୍ରିୱାଲ ଦୁଇଟି ପୃଥକ ପିଟିସନ ଦାଖଲ କରିଛନ୍ତି। ଅଗଷ୍ଟ ୫ ରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଗିରଫଦାରୀକୁ ବଜାୟ ରଖିଥିବା ଆଦେଶକୁ ସେ ଚ୍ୟାଲେଞ୍ଜ କରିଛନ୍ତି।