ଖବର ଓଡ଼ିଶା: କେରଳର ପାହାଡ଼ି ଜିଲ୍ଲା ୱାୟନାଡରେ ମଙ୍ଗଳବାର ହୋଇଥିବା ଭୂସ୍ଖଳନ ମେପାଡ୍ଡୀ, ମୁଣ୍ଡକ୍କଲ ଓ ତୁରଲମାନା ଅଞ୍ଚଳକୁ ମାଟିରେ ମିଶାଇ ଦେଇଛି । ଏହି ଭୂସ୍ଖଳନ ସାରା ଦେଶକୁ ସ୍ତବ୍ଦ କରିଦେଇଛି । ଲୋକଙ୍କ ଆର୍ତ୍ତ ଚିତ୍କାରରେ ଫାଟି ପଡ଼ୁଛି ୱାୟନାଡ । ସତେ ଯେମତି ପ୍ରକୃତି ଦାଉ ସାଜିଛି । ୱାୟନାଡରେ ଆହୁରି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି । ତେବେ ୱାୟନାଡରେ ପ୍ରକୃତିର ଏହି ତାଣ୍ଡବ କିଛି ନୂଆ ନୁହେଁ । ପୂର୍ବରୁ ମଧ୍ୟ ୱାୟନାଡ ବାସିନ୍ଦା ଏମିତି ଅନେକ ମୃତ୍ୟୁର ତାଣ୍ଡବଲୀଳା ନିଜ ଆଖିରେ ଦେଖିଛନ୍ତି । ଅନେକ ନିଜ ପ୍ରିୟଜନଙ୍କୁ ହରାଇ ଏବେବି ଆଖିରୁ ଲୁହ ଝରାଉଛନ୍ତି ।
ଆସନ୍ତୁ ଜାଣିବା ୱାୟନାଡରେ ପୂର୍ବରୁ ହୋଇଥିବା ଭୂସ୍ଖଳନ ସମ୍ପର୍କରେ –
ପୂର୍ବରୁ ୨୦୧୮ରେ ୱାୟନାଡରେ ହୋଇଥିବା ଭୂସ୍ଖଳନରେ ପ୍ରାୟ ୪୮୩ ଜଣ । ଏହି ଭୂସ୍ଖଳନ ଲୋକଙ୍କ ଜୀବନ ସହ ଜୀବିକା ମଧ୍ୟ ନେଇ ଯାଇଥିଲା । ୩ ଲକ୍ଷ ୯୧ ହଜାର ପରିବାରର ୧୪ ଲକ୍ଷ ୫୦ ହଜାର ଲୋକ ଆଶ୍ରୟସ୍ଥଳୀର ରହିଥିଲେ । ୫୭,୦୦୦ ହେକ୍ଟର ଚାଷ ଜମି ପାଣିରେ ନଷ୍ଟ ହୋଇ ଯାଇଥିଲା । ଦେବଦୂତ ସାଜିଥିବା ବାୟୁସେନା ଗର୍ଭବତୀ ମହିଳାଙ୍କୁ ହେଲିକପ୍ଟରେ ସ୍ଥାନାନ୍ତରଣ କରିଥିଲା ।
୨୦୧୯ରେ ୱାୟନାଡରୁ ୧୦ କିମି ଦୂରରେ ଭୂସ୍ଖଳନ ହୋଇଥିଲା । ଏଥିରେ ୧୭ ଜଣ ପ୍ରାଣ ହରାଇ ଥିଲେ ।
୨୦୨୧ରେ ଭୂସ୍ଖଳନରେ ଇଡ୍ଡୁକୀ ଓ କୋଟାୟାମରେ ୩୫ ଜଣଙ୍କ ଜୀବନ ଯାଇଥିଲା । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ୨୦୨୧ରେ ପ୍ରବଳ ବର୍ଷା ଯୋଗୁଁ ୫୩ ଜଣ ପ୍ରାଣ ହରାଇଥିଲେ ।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୨୨ରେ ପ୍ରବଳ ବର୍ଷା ଯୋଗୁଁ ୧୮ ଜଣ ପ୍ରାଣ ହରାଇଥିଲେ ।
କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୦୧୫ରୁ ୨୦୨୨ ମଧ୍ୟରେ ଦେଶରେ ୩,୭୮୨ ଭୂସ୍ଖଳନ ହୋଇଥିବାବେଳେ କେବଳ କେରଳରେ ୨୨୩୯ଟି ଭୂସ୍ଖଳନ ହୋଇଛି ।