ନୂଆଦିଲ୍ଲୀ: ୧୯୮୪ ଶିଖ ବିରୋଧୀ ଦଙ୍ଗା ସଂପର୍କିତ ଏକ କେସରେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ କଂଗ୍ରେସର ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସଜ୍ଜନ କୁମାରଙ୍କ ଦଣ୍ଡାଦେଶ ଉପରେ ଫେବୃଆରୀ ୧୮ରେ ଶୁଣାଣି ହେବ।
୧୯୮୪ ନଭେମ୍ବର ୧ରେ ଦିଲ୍ଲୀର ସରସ୍ଵତୀ ବିହାରରେ ଯଶବନ୍ତ ସିଂ ଓ ତାଙ୍କ ପୁଆ ତରୁଣଦୀପ ସିଂଙ୍କ ହତ୍ୟା ସଂପର୍କିତ ମାମଲାରେ ସଜ୍ଜନ କୁମାର ଅଭିଯୁକ୍ତ ଥିଲେ। ଏହି ମାମଲାରେ କୋର୍ଟ ବୁଧବାର ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦଙ୍ଗାର ଆଉ ଏକ ମାମଲାରେ ବର୍ତ୍ତମାନ ସେ ଆଜୀବନ ଜେଲ୍ ଦଣ୍ଡାଦେଶ ଭୋଗୁଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦିଲ୍ଲୀରେ ବ୍ୟାପକ ପରିମାଣରେ ଶିଖ ବିରୋଧୀ ଦଙ୍ଗା ହୋଇଥିଲା। ଏଥିରେ ବଡ଼ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଥିଲା। ୧୯୮୪ ନଭେମ୍ବର ୧ ତାରିଖରେ ସରସ୍ଵତୀ ବିହାର ଅଞ୍ଚଳରେ ପିତା-ପୁତ୍ରଙ୍କ ହତ୍ୟା କରାଯାଇଥିଲା। ରାଉଜ ଏଭେନ୍ୟୁ କୋର୍ଟରେ ସ୍ଵତନ୍ତ୍ର ଜଜ କାବେରୀ ବବେଜା ବୁଧବାର ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଜି ଯେଉଁ ସମୟରେ ମାମଲା ଉପରେ ଶୁଣାଣି କରାଗଲା ସେହି ସମୟରେ ସଜ୍ଜନ କୁମାର କୋର୍ଟରେ ଉପସ୍ଥିତ ଥିଲେ।
୪୧ ବର୍ଷ ପୂର୍ବେ ଏହି ଦଙ୍ଗାରେ ଯଶବନ୍ତ ସିଂ ଓ ତାଙ୍କ ପୁଅ ତରୁଣଦୀପ ସିଂଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଆରମ୍ଭରେ ପଞ୍ଜାବୀ ବାଗ ପୋଲିସ ଥାନାରେ ମାମଲା ରୁଜୁ ହୋଇଥିଲା। ପରେ ଏହାର ତଦନ୍ତଭାର ଏସଆଇଟିକୁ ହସ୍ତାନ୍ତର କରାଯାଇଥିଲା। ସଜ୍ଜନ କୁମାର ପ୍ରାଥମିକ ତଦନ୍ତରୁ ହିଁ ଦୋଷୀ ବୋଲି ଜଣା ପଡିଥିଲା। ୨୦୨୧ ଡିସେମ୍ବର ୧୬ରେ ଏହି କେସ୍ରେ ଚାର୍ଜସିଟ୍ ଦାଖଲ ହୋଇଥିଲା।