ମୁମ୍ବାଇ: ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି । ବାରାମତୀ ଦୁର୍ଘଟଣା ଉପରେ ଏନସିପି (ସପା) ମୁଖ୍ୟ ତଥା ଅଜିତଙ୍କ ଦାଦା ଶରଦ ପାୱାରଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । ଏହା ଏକ ଦୁର୍ଘଟଣା ଏବଂ ଏଥିରେ କୌଣସି ରାଜନୀତି ହେବା ଉଚିତ୍ ନୁହେଁ ବୋଲି କହିଛନ୍ତି ଶରଦ ।
ଗଣମାଧ୍ୟମ ସହିତ କଥାବାର୍ତ୍ତା କରିବା ସମୟରେ ଶରଦ ପାୱାର ଗଭୀର ଦୁଃଖିତ ଦେଖାଯାଉଥିଲେ । ସେ କହିଛନ୍ତି ଯେ ଏହା ଏକ ଦୁର୍ଘଟଣା ଏବଂ ଏଥିରେ କୌଣସି ରାଜନୀତି ଯୋଡ଼ିବା ଉଚିତ୍ ନୁହେଁ। ମହାରାଷ୍ଟ୍ର ଏପରି ଏକ ନେତୃତ୍ୱ ହରାଇଛି ଯାହାର ସ୍ଥାନ ନିଆଯାଇପାରିବ ନାହିଁ । ଏହା କେବଳ ଦଳ ପାଇଁ ନୁହେଁ ବରଂ ସମଗ୍ର ରାଜ୍ୟ ପାଇଁ ଏକ କ୍ଷତି।
ଆଜି ସକାଳେ ଅଜିତ ପାୱାରଙ୍କ ବିମାନ ଅବତରଣ କରିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଅବତରଣ କରିବା ପୂର୍ବରୁ ଏକାଧିକ ବାର ଚକ୍କର କାଟିଥିଲା । ପ୍ରଥମ ଅବତରଣ ବିଫଳ ହେବା ପରେ ଏହା ପୁଣି ଥରେ ଉଡ଼ାଣ ଭରିବା ପାଇଁ ଚେଷ୍ଟା କରିଥିଲା । ପୁଣି ଥରେ ସିଗନାଲ ମିଳିବା ପରେ ଅବତରଣ କରିବା ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ସମ୍ପୂର୍ଣ୍ଣ ଜଳି ଯାଇଛି ।
ଆସନ୍ତାକାଲି କର୍ମସ୍ଥଳୀ ବାରାମତିରେ ଅଜିତଙ୍କ ଶେଷ କୃତ୍ୟ ସମାପନ କରାଯିବ । ଏଥିରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପ୍ରମୁଖ ସାମିଲ ହେବାର ସୂଚନା ରହିଛି ।