ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ମୁଖ୍ୟ ଅଜିତ ପାୱାରଙ୍କର ବୁଧବାର ସକାଳେ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ପାୱାରଙ୍କ ସମେତ ବିମାନର ପାଇଲଟ ତଥା ତାଙ୍କ ସୁରକ୍ଷାକର୍ମୀଙ୍କ ସହିତ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ମୃତ୍ୟୁ ଘଟଣା ଏକ ନୂଆ ରାଜନୈତିକ ମୋଡ଼ ନେଇଛି। ଅଜିତ ପାୱାରଙ୍କର ଦେହାନ୍ତ ଖବର ଆସିବା ପରେ ବିଭିନ୍ନ ମହଲରୁ ଶୋକ ବାର୍ତ୍ତା ଆସିବାରେ ଲାଗିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି , ଅଜିତ ପାୱାରଙ୍କ ଆକସ୍ମିକ ବିୟୋଗରେ ମୁଁ ଗଭୀର ଭାବରେ ମର୍ମାହତ ଏବଂ ସ୍ତବ୍ଧ ବୋଲି ପ୍ରକାଶ କରିଛନ୍ତି। ପାୱାର ପରିବାର ପ୍ରତି ମମତା ଗଭୀର ସମବେଦନା ଜଣାଇବା ସହିତ ବିମାନ ଦୁର୍ଘଟଣାର ତଦନ୍ତ ଦାବି କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ କେବଳ ଏକ "ଦୁର୍ଘଟଣା" ବୋଲି ନ ମାନି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ, ଏହି ଘଟଣା ପଛରେ କିଛି ଷଡଯନ୍ତ୍ର ଥାଇପାରେ। ତେଣୁ ସୁପ୍ରିମକୋର୍ଟଙ୍କ ନିରୀକ୍ଷଣରେ ଏହାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି।
ସେହିପରି ଅଜିତ ପାୱାରଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଏହାସହ ଘଟଣାର ତଦନ୍ତ ଦାବି କରିଛନ୍ତି ଖଡ଼ଗେ। ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଅଜିତଙ୍କ ଅକାଳ ବିୟୋଗ ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ସେ ଜଣେ କଠିନ ପରିଶ୍ରମୀ ବ୍ୟକ୍ତିଙ୍କ ଦେହାନ୍ତ ଆମ ସମସ୍ତଙ୍କୁ ମର୍ମାହତ କରିଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ତାଙ୍କ ପରିବାର ସହିତ ଅଛୁ। ଆମେ ଏହି ଦୁର୍ଘଟଣାର ତଦନ୍ତ ଦାବି କରିବୁ ବୋଲି ଖଡ଼ଗେ କହିଛନ୍ତି।
ବୁଧବାର ସକାଳେ ବାରାମତୀ ନିକଟରେ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ମୁଖ୍ୟ ଅଜିତ ପାୱାରଙ୍କର ଦେହାନ୍ତ ହୋଇଛି। ମୁମ୍ବାଇରୁ ସକାଳ ପ୍ରାୟ ୮ଟାରେ ଉଡାଣ ଭରିବାର ୪୫ ମିନିଟ୍ ପରେ ଅବତରଣ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରୁ ପ୍ରବଳ ଧୂଆଁ ଓ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୫ ଜଣଙ୍କର ମୃତ୍ୟୁ ଘଟିଛି।
ଅଧିକ ପଢନ୍ତୁ: ଆସନ୍ତାକାଲି ହେବ ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାର; ଶେଷକୃତ୍ୟରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହ