ନୂଆଦିଲ୍ଲୀ: ଦିଲ୍ଲୀକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ଦଶମ ତଥା ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରେଖା ଗୁପ୍ତା । ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନା ରେଖାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରେଖାଙ୍କ ସହିତ ତାଙ୍କର ୬ ଜଣିଆ ମନ୍ତ୍ରୀ ମଣ୍ଡଳ ଯଥା ପ୍ରବେଶ ବର୍ମା, ଆଶୀଷ ସୁଦ, ପଙ୍କଜ ସିଂହ, ମନଜିନ୍ଦର ସିଂହ ସିରସା, କପିଲ ମିଶ୍ରା ଓ ରବୀନ୍ଦ୍ର ଇନ୍ଦ୍ରାଜ ଶପଥ ନେଇଛନ୍ତି । ରାମଲୀଳା ମଇଦାନରେ ଭବ୍ୟ ସମାରୋହରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଦିଲ୍ଲୀର ନୂତନ ସରକାରଙ୍କୁ ଆଶୀର୍ବାଦ ଦେବା ପାଇଁ ବହୁ ସଂଖ୍ୟକ ସନ୍ଥ ଏବଂ ମହାତ୍ମା ମଧ୍ୟ ପହଞ୍ଚିଛନ୍ତି । ଏଥିରେ ଆନନ୍ଦ ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ ବାଳକାନନ୍ଦ ଗିରି ଏବଂ ସନ୍ଥ ମଣ୍ଡଳର ସଭାପତି ନାରାୟଣ ଗିରି ଜୀ ମହାରାଜ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଅଟୋ, ଟ୍ୟାକ୍ସି ଡ୍ରାଇଭର, ବସ୍ତିର ଲୋକ ମଧ୍ୟ ଶପଥ ସମାରୋହରେ ନିମନ୍ତ୍ରିତ ଅତିଥିଭାବେ ଯୋଗ ଦେଇଥିଲେ ।
ଶପଥ ଗ୍ରହଣ ଉତ୍ସବକୁ ‘ବିକଶିତ ଦିଲ୍ଲୀ ଶପଥ ସମାରୋହ’ ନାମରେ ନାମିତ କରାଯାଇଛି। ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀକୁ “ବିକଶିତ ଭାରତର ବିକଶିତ ରାଜଧାନୀ” କରିବାକୁ ପ୍ରତିଶ୍ରୁତି ଦେଇ ସମର୍ଥନ ଲୋଡ଼ିଥିଲେ। ବିଜେପିର ଇସ୍ତାହାରରେ ବିକଶିତ ଦିଲ୍ଲୀର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି।
ରେଖା ଶପଥ ନେବା ପରେ ପରେ ତାଙ୍କୁ ଜେଡ୍ ପ୍ଲସ୍ (Z Plus) ସୁରକ୍ଷା ପ୍ରଦାନ କରିବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି ହୋଇଛି । ଶପଥ ଗ୍ରହଣ କରିବା ପରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ୨ ଜଣ ପିଏସଓ ଏବଂ ଗୋଟିଏ ଏସ୍କର୍ଟ ଗାଡ଼ି ସୁରକ୍ଷା ଦେବେ । ଯେଉଁଥିରେ ସୁରକ୍ଷା କର୍ମୀ ନିୟୋଜିତ ହେବେ । ରେଖା ଗୁପ୍ତାଙ୍କ ଘରେ ଆଗରେ ୪ ଜଣ ପୋଲିସ କର୍ମଚାରୀ, ପଛ ପାର୍ଶ୍ୱରେ ୪ ଜଣ ପୋଲିସ କର୍ମଚାରୀ ଏବଂ ୨ ଜଣ କମାଣ୍ଡୋ ଉପସ୍ଥିତ ରହିବେ ।
ସୁଷମା ସ୍ୱରାଜ, ଶୀଲା ଦୀକ୍ଷିତ ଓ ଆତିଶି ମାର୍ଲେନାଙ୍କ ପରେ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ରେଖା ଗୁପ୍ତା । ସେ ବିଜେପି ମହିଳା ମୋର୍ଚ୍ଚାର ପ୍ରଥମ ରାଷ୍ଟ୍ରୀୟ ମନ୍ତ୍ରୀ ଥିଲେ। ବର୍ତ୍ତମାନ ସେ ମହିଳା ମୋର୍ଚ୍ଚାର ଜାତୀୟ ଉପାଧ୍ୟକ୍ଷ ଅଛନ୍ତି। ସତୀଶ ଉପାଧ୍ୟାୟ ରାଜ୍ୟ ସଭାପତି ଥିବା ସମୟରେ, ସେ ତାଙ୍କ ସହିତ ରାଜ୍ୟ ସାଧାରଣ ସମ୍ପାଦକ ଥିଲେ । ସେ ୨୦୧୫ରେ ତାଙ୍କର ପ୍ରଥମ ବିଧାନସଭା ନିର୍ବାଚନ ଲଢ଼ିଥିଲେ କିନ୍ତୁ ୧୦,୯୭୮ ଭୋଟରେ ପରାସ୍ତ ହୋଇଥିଲେ। ୨୦୨୦ରେ ସେ ଦ୍ୱିତୀୟ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲେ କିନ୍ତୁ ପୁଣିଥରେ ୩,୪୪୦ ଭୋଟରେ ପରାସ୍ତ ହୋଇଥିଲେ। ୨୦୨୫ରେ ସେ ତାଙ୍କର ତୃତୀୟ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଏବଂ ୨୯,୫୯୫ ଭୋଟରେ ଜିତିଥିଲେ।