ନୂଆଦିଲ୍ଲୀ: କଥାରେ ଅଛି, ଯଦି ମନରେ ଇଚ୍ଛା ଶକ୍ତି ଥାଏ ତାହା ହେଲେ ଜୀବନରେ କେହି କେବେବି ହାର୍ ମାନି ନ ଥାଏ । ପଙ୍ଗୁ ବି ପାହାଡ଼ ଚଢ଼ିପାରେ । ଆଉ ଯଦି ଥରେ ମନରେ କରିବାକୁ ସ୍ଥିର କରିନିଏ କେହି ତେବେ ତାହାକୁ କରିକି ହିଁ ଦେଖାଏ । ଏମିତିରେ ଜଣେ ମହିଳାଙ୍କ କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯିଏ ଗର୍ଭବତୀ ଥାଇ ମଧ୍ୟ ପୋଲିସରେ ଭର୍ତ୍ତି ହେବା ପାଇଁ ଦୌଡ଼ିଛନ୍ତି । ସେ ପୁଣି ସମୟ ପୂର୍ବରୁ ନିଜ ଗନ୍ତବ୍ୟ ସ୍ଥଳରେ ପହଁଚିଛନ୍ତି । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତର ପ୍ରଦେଶ ପୋଲିସ ନିଯୁକ୍ତିରେ ।
ପୀଏସୀ ଗ୍ରାଉଣ୍ଡରେ ଉତ୍ତର ପ୍ରଦେଶ ପୋଲିସରେ ସିଧାସଳଖ ଭର୍ତ୍ତି ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୧୪,୯୯୦ ଜଣ ଆଶାୟୀ ପଞ୍ଜିକରଣ କରିଥିଲେ । ଯେଉଁଥିରେ ରଶ୍ମୀ ନାମକ ଜଣେ ମହିଳା ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଆଉ ଉକ୍ତ ମହିଳା ଜଣକ ୨ମାସର ଗର୍ଭବତୀ ଥିଲେ । ଏହା ଶୁଣିବା ପରେ ସମସ୍ତେ ଚକିତ ହୋଇଯାଇଥିଲେ, ରଶ୍ମୀ ଦୌଡ଼ିବେ କିପରି । କିନ୍ତୁ ସେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଥିଲେ ।
ରଶ୍ମୀଙ୍କୁ ୧୪ ମିନିଟରେ ୨.୪ କିଲୋମିଟର୍ ଦୂରତାକୁ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ଦିଆଯାଇଥିଲା । କିନ୍ତୁ ସେ ୪୩ ସେକେଣ୍ଡ ପୂର୍ବରୁ ସେ ନିଜର ଲକ୍ଷ୍ୟ ହାସଲ କରିଥିଲେ । ଏହା ପରେ ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ମାଆ ଓ ପିଲା ଉଭୟ ସୁସ୍ଥ ଅଛନ୍ତି ।
ରଶ୍ମୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ନିଜ ଡାକ୍ତରଙ୍କ ପରାମର୍ଶ ନେଇଥିଲେ ଏବଂ ଲଗାତର ଅଭ୍ୟାସ ଜାରି ରଖିଥିଲେ । କିଛିଟା ପରୀକ୍ଷା ପରେ ଡାକ୍ତର ତାଙ୍କୁ ଅନୁମତି ପ୍ରଦାନ କରିଥିଲେ ।
ବୁଧବାର ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୦୫୨ ଜଣ ଅଂଶ ଗ୍ରହଣ କରିବାକୁ ଥିବାବେଳେ ୧୦୦୬ ଜଣ ପରୀକ୍ଷା ଦେଇଥିଲେ । ୩୦ ଜଣ ଆଶାୟୀ ଅନୁପସ୍ଥିତ ରହିଥିଲେ । ଏହି ପ୍ରତିଯୋଗିତାରେ ମୋଟ ୯୦୧ ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୧୦୫ ଜଣ ଫେଲ୍ ହୋଇଛନ୍ତି ।