ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତ ଶେଷ କରି ଶନିବାର ସନ୍ଧ୍ୟାରେ ଚୀନରେ ପହଁଚିଛନ୍ତି । ଚୀନର ତିୟାନଜିନ ସହରର ବିମାନବନ୍ଦରରେ ପହଁଚିବାରେ ପରେ ମୋଦୀଙ୍କୁ ସ୍ୱାଗତ କରାଯାଇଛି । ଏହି ଗସ୍ତରେ ମୋଦୀ ଏସସିଓ ଶିଖର ସମ୍ମିଳନୀରେ ଯୋଗ ଦେବେ ।
ଦୀର୍ଘ ୭ ବର୍ଷ ପରେ ମୋଦୀ ଚୀନରେ ପାଦ ଦେଇଛନ୍ତି । ମୋଦୀ ଦୁଇ ଦିନିଆ ଜାପାନ ଗସ୍ତ ଶେଷ କରି ଟୋକିଓରୁ ଚୀନର ତିଆନଜିନ୍ ସହରରେ ପହଞ୍ଚିଛନ୍ତି । ମୋଦୀ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗଦେବେ। ଶିଖର ସମ୍ମିଳନୀ ବ୍ୟତୀତ, ପ୍ରଧାନମନ୍ତ୍ରୀ ମୋଦି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିବେ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଟୋକିଓରେ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସହ ୧୫ତମ ଭାରତ-ଜାପାନ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ । ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଦିଗରେ ଆଲୋଚନା ହୋଇଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଚାରୋଟି କାରଖାନା ପରିଦର୍ଶନ କରିଥିଲେ, ଯେଉଁଥିରୁ ଗୋଟିଏ ଇ୧୦ ଶିଙ୍କାନସେନ୍ ବୁଲେଟ୍ ଟ୍ରେନର ଏକ ପ୍ରୋଟୋଟାଇପ୍ ତିଆରି କରୁଛି। ଏହି ଟ୍ରେନ ସେଟ୍ ଭାରତର ପ୍ରଥମ ବୁଲେଟ୍ ଟ୍ରେନ ପ୍ରକଳ୍ପ ଅହମ୍ମଦାବାଦ-ମୁମ୍ବାଇ ହାଇ ସ୍ପିଡ୍ ରେଳ କରିଡରରେ ଚାଲିବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜାପାନ ଏବଂ ଚୀନ ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ଏବଂ ଶୁଳ୍କ ନୀତି ଯୋଗୁଁ ଭାରତ-ଆମେରିକା ସମ୍ପର୍କ ତିକ୍ତ ହୋଇପଡ଼ିଛି।
ପ୍ରଧାନମନ୍ତ୍ରୀ ମୋଦୀ ଶିଗେରୁ ଇଶିବାଙ୍କ ସହିତ ଶିଖର ସମ୍ମିଳନୀ ପୂର୍ବରୁ ଭାରତ-ଜାପାନ ବ୍ୟବସାୟ ଫୋରମକୁ ସମ୍ବୋଧିତ କରିଥିଲେ। ଜାପାନର ପ୍ରଯୁକ୍ତିବିଦ୍ୟା ଏବଂ ଭାରତର ପ୍ରତିଭା ଏକାଠି ଏହି ଶତାବ୍ଦୀର ପ୍ରଯୁକ୍ତିବିଦ୍ୟା ବିପ୍ଳବର ନେତୃତ୍ୱ ନେଇପାରିବେ ବୋଲି ମୋଦୀ କହିଥିଲେ ।