ଝାଡଖଣ୍ଡ: ଶିକ୍ଷା ଦେଖେନି ବୟସ, ଶିଖିବାର ଆଗ୍ରହ ଥିଲେ ବୟସ କେବେ ବାଧା ସାଜେନି । ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ହିଁ ଆପଣଙ୍କୁ ଦିନେ ସଫଳତା ଆଣିଦେବ । ଏକଥା ପ୍ରମାଣ କରି ଦେଖାଇଛନ୍ତି ଝାଡଖଣ୍ଡର ଗଙ୍ଗା ଓରାଓଁ । ୫୬ ବର୍ଷ ବୟସରେ ସେ ଏବେ ମ୍ୟାଟ୍ରିକ୍ ପରୀକ୍ଷାରେ ପାସ୍ ହୋଇଛନ୍ତି । ପୂର୍ବରୁ ସେ ଅନେକ ଥର ମାଟ୍ରିକ୍ ପରୀକ୍ଷା ଦେଇ ବିଫଳ ହୋଇଥିଲେ । କିନ୍ତୁ ଏଥର ୫୬ ବର୍ଷ ବୟସରେ ସେ ଝାଡ଼ଖଣ୍ଡ ଏକାଡେମିକ୍ କାଉନସିଲ୍ (JAC) ପରୀକ୍ଷାରେ ୪୭.୨ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଗଙ୍ଗା ଓରାଓଁ ହେଉଛନ୍ତି ଝାଡଖଣ୍ଡର ଖୁଣ୍ଟି ସଦର ବ୍ଲକର କଳାମାଟି ଗାଁର ବାସିନ୍ଦା। ସେ DSE କାର୍ଯ୍ୟାଳୟରେ ଦୈନିକ ମଜୁରୀରେ ପିଅନ ଭାବରେ କାମ କରୁଛନ୍ତି। ତେବେ ନିଜ ସଫଳତାକୁ ନେଇ ସେ କହିଛନ୍ତି, ପିଲାବେଳେ ଦାରିଦ୍ର୍ୟ ଯୋଗୁଁ ସେ ମାଟ୍ରିକ୍ ପରୀକ୍ଷା ଦେଇପାରିଲେ ନାହିଁ। ଯେତେବେଳେ ସେ ନବମ ଶ୍ରେଣୀରେ ପଢ଼ୁଥିଲେ, ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଏତେ ଭଲ ନଥିଲା, ଯାହା କାରଣରୁ ଦଶମ ବୋର୍ଡର ପଞ୍ଜୀକରଣ ପାଇଁ ମାତ୍ର ୪୦ ଟଙ୍କା ଦେଇ ନପାରିବାରୁ ସେ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ।
ସେ ୧୬ ବର୍ଷ ଧରି DSE କାର୍ଯ୍ୟାଳୟରେ ଦୈନିକ ମଜୁରିଆ ଭାବରେ ଜଣେ ପିଅନ ଭାବରେ କାମ କରୁଛନ୍ତି । ୧୦, ୦୦୦ ଟଙ୍କା ଦରମା ଥିଲେ ବି କଟିକାଟି ତାଙ୍କୁ ପ୍ରାୟ ନଅ ହଜାର ଟଙ୍କା ମିଳୁଛି। ସେ ବହୁ ବର୍ଷ ଧରି ତାଙ୍କ ଚାକିରିକୁ ସ୍ଥାୟୀ କରିବାକୁ ଅନୁରୋଧ କରିଆସୁଛନ୍ତି। କିନ୍ତୁ ଅଧିକାରୀମାନେ ସର୍ବଦା ତାଙ୍କ ଦାବିକୁ ସ୍ଥଗିତ ରଖୁଥିଲେ ଯେ ସେ ମାଟ୍ରିକ୍ ପାସ୍ ନୁହଁନ୍ତି। ଏହା ପରେ ସେ ମାଟ୍ରିକ ପାସ୍ କରିବା ପାଇଁ ପ୍ରୟାସ ଆରମ୍ଭ କଲେ। ଶେଷରେ ତାଙ୍କୁ ସଫଳତା ମିଳିଲା।
ଗଙ୍ଗା ଓରାଓଁଙ୍କ ଘରେ ଜଣେ ବୃଦ୍ଧା ମା, ୮୦ ବର୍ଷୀୟା ହୀରାମଣୀ ଦେବୀ ଏବଂ ପତ୍ନୀ ଚାରି ଓରାଓଁ ଅଛନ୍ତି। ତାଙ୍କର ଚାରି ଝିଅ ଅଛନ୍ତି ଏବଂ ଚାରି ଜଣ ବିବାହିତ। ତାଙ୍କ ମାଟ୍ରିକ ପାସ୍ କରିବା ଖବରଏବେ ପରିବାର ପାଇଁ ଖୁସି ଆଣିଦେଇଛି ।