ପହଲଗାମ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ବିଶ୍ୱକୁ ଦୋହଲାଇଦେଇଛି। ଘଟଣା ପରଠାରୁ ପ୍ରତିଶୋଧ ପରାୟଣ ହୋଇଉଠିଛି ଭାରତ। ଆତଙ୍କବାଦୀକୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ କରୁଛି ଋଣନୀତି। ଏହାରି ଭିତରେ NIA (ଜାତୀୟ ତଦନ୍ତ ସଂସ୍ଥା) ଦ୍ୱାରା କରାଯାଇଥିବା ପ୍ରାରମ୍ଭିକ ତଦନ୍ତର ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ପାକିସ୍ତାନର ଏକ ଗଭୀର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି।NIAର ପ୍ରାରମ୍ଭିକ ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଏହି ଅନୁସାରେ, ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା, ଆଇଏସଆଇ ଏବଂ ପାକିସ୍ତାନୀ ସେନାର ସହଯୋଗରେ ଏହି ଆକ୍ରମଣ କରାଯାଇଥିଲା। ଆଇଏସଆଇର ନିର୍ଦ୍ଦେଶରେ ପାକିସ୍ତାନରେ ଥିବା ଲସ୍କର ମୁଖ୍ୟାଳୟରେ ଆକ୍ରମଣ ଯୋଜନା କରାଯାଇଥିଲା
ତଦନ୍ତରୁ ଜଣାପଡିଛି ଯେ ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀ ପିଓକେ ବା ପାକ୍ ଅଧିକୃତ କାଶ୍ମୀରରେ ବସି ବ୍ଲ୍ୟୁ ପ୍ରିଣ୍ଟ ତିଆରି କରୁଥିଲା। ଏଥିପାଇଁ ପାଣ୍ଠି ଦେଉଥିଲା ପାକିସ୍ତାନ। ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ୨ ଜଣ ହେଉଛନ୍ତି ହାସିମ ମୁସା ଓ ଅଲ୍ଲୀ ତଲହା । ତେବେ ଏହି ୨ ମାଷ୍ଟରମାଇଣ୍ଡ ଆତଙ୍କବାଦୀ ପାକିସ୍ତାନର ନାଗରିକ ଏବଂ ଲସ୍କର-ଏ-ତୈବା ସହିତ ଜଡିତ। ଉଭୟ ସ୍ଥାନୀୟ ଆତଙ୍କୀ ଆଦିଲ ଠୋକରେକୁ ଯୋଗାଯୋଗ କରିଥିଲେ। ଆଦିଲର ସହଯୋଗରେ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ଏକାଠି କରାଯାଇଥିଲା, ଯେଉଁମାନେ ପହଲଗାମ ଓ କିଛି ଅଞ୍ଚଳ ବାବଦରେ ଆତଙ୍କବାଦୀଙ୍କୁ ତଥ୍ୟ ଯୋଗାଉଥିଲେ। ପରେ ସୀମା ପାର ହୋଇ ଆତଙ୍କୀ ଆସି ୩ ଟି ସ୍ଥାନରେ ରେକି କରିଥିଲେ। ଏଥିପାଇଁ ମୋଟ୍ ୧୫୦ଜଣ ଓଭରଗ୍ରାଉଣ୍ଡ ୱାର୍କରଙ୍କ ସାହାଯ୍ୟ ନିଆଯାଇଥିଲା ।
ଆକ୍ରମଣସ୍ଥଳରେ ପହଞ୍ଚି ଏନ୍ଆଇଏ ଟିମ୍ ଥ୍ରୀଡି ମ୍ୟାପିଂ କରିଛି ö ଘଟଣାସ୍ଥଳରେ ଆକ୍ରମଣ ସିନ୍ ରିକ୍ରିଏସନ କରାଯାଇଛି। NIAର ମହାନିର୍ଦ୍ଦେଶକ (DG)ଙ୍କ ନେତୃତ୍ୱରେ ପ୍ରସ୍ତୁତ ଏହି ରିପୋର୍ଟ ଖୁବ୍ ଶୀଘ୍ର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ। ଏହି ଆଧାରରେ, ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରମାଣ ଜାତିସଂଘ ଏବଂ FATF ଭଳି ସଂଗଠନ ନିକଟରେ ଉପସ୍ଥାପନ କରାଯାଇପାରିବ।
ସେପଟେ ତଦନ୍ତ ବେଳେ ଖଚର ଆରୋହୀଙ୍କ ଭୂମିକା ଏନଆଇର ସନ୍ଦେହଘେରକୁ ଆସିଛି। କାରଣ ଯେଉଁ ସମୟରେ ଆକ୍ରମଣ କରାଯାଇଥିଲା ସେହି ସମୟରେ ସେଠାରେ ଅନେକ ଖଚର ଆରୋହୀ ଉପସ୍ଥିତ ଥିଲେ । ତଦନ୍ତକାରୀ ସଂସ୍ଥାଗୁଡ଼ିକ ସନ୍ଦେହ କରୁଛନ୍ତି ଯେ ଏଗୁଡ଼ିକ ମଧ୍ୟରୁ କିଛି ଆକ୍ରମଣକାରୀଙ୍କ ଗତିବିଧିରେ ସାହାଯ୍ୟ କରିଥାଇପାରେ।
ପହଲଗାମ ଆକ୍ରମଣର ତଦନ୍ତ ସହିତ ଜଡିତ, NIA ଏପର୍ଯ୍ୟନ୍ତ ପ୍ରାୟ 1500 ରୁ 2000 ଖଚର ଆରୋହୀଙ୍କୁ ପଚରାଉଚରା କରିସାରିଛି। ଆତଙ୍କବାଦୀମାନଙ୍କର ଗତିବିଧି, ସେମାନେ ଦୁର୍ଗମ ପାହାଡ଼ି ଅଞ୍ଚଳରୁ କିପରି ପ୍ରବେଶ କଲେ ଏନେଇ ଖୋଳତାଡ଼ ଚାଲିଛି।