ନୂଆଦିଲ୍ଲୀ: ଖ୍ରୀଷ୍ଟିଆନ ଧର୍ମଗୁରୁ ବା ପୋପ୍ ହେବାକୁ ଇଚ୍ଛା କରୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୋପ୍ ଅବତାର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଟ୍ରମ୍ପ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ବା ଏଆଇ-ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ପୋପ ପୋଷାକ ପିନ୍ଧିଛନ୍ତି । ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ପୋପ ଅବତାର ସଜେଇ ହୋଇଛନ୍ତି । ଧଳା, ପୋଷାକ, ମୁଣ୍ଡରେ କ୍ରାଉନ୍ ବା ମୁକୁଟ ଏବଂ ବେକରେ କ୍ରସ୍ ପକାଇଛନ୍ତି । ଯାହାକୁ ଲୋକ ବହୁତ ପସନ୍ଦ କରିଛନ୍ତି । ଅନ୍ୟପକ୍ଷରେ ବାଇଡେନଙ୍କ ସମର୍ଥକ ତାଙ୍କର ପୋପ୍ ଅବତାର ଫଟୋ ମଧ୍ୟ ଜାରି କରିଛନ୍ତି ।
ବୁଧବାର ଦିନ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପରେ ଟ୍ରମ୍ପ ନ୍ୟୁୟର୍କର କାର୍ଡିନାଲ୍ ଟିମୋଥି ଡୋଲାନଙ୍କୁ ପୋପ୍ ପାଇଁ ଦ୍ୱିତୀୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ନାମିତ କରିବାକୁ ନେଇ ପରିହାସ କରିଥିଲେ । ଆଉ କହିଥିଲେ, "ମୁଁ ପୋପ୍ ହେବାକୁ ଚାହେଁ। ଏହା ମୋର ପ୍ରଥମ ପସନ୍ଦ ହେବ," ଏବଂ ଆହୁରି ମଧ୍ୟ କହିଥିଲେ, "ଆମେ ଦେଖିବୁ କ'ଣ ହେଉଛି।" ଏହା ପରେ ଶନିବାର ତାଙ୍କର ଏକ AI ଫଟୋ ପୋଷ୍ଟ କରିଛନ୍ତି, ଧଳା ପୋଷାକ, ମୁକୁଟ ଏବଂ ଏକ କ୍ରସ୍ ପିନ୍ଧିଛନ୍ତି ।
ପୋପ୍ ଫ୍ରାନ୍ସିସ୍ ଙ୍କ ଦେହାନ୍ତ ପରେ କିଏ ପୋପ୍ ଆସନ ଅଳଙ୍କୃତ କରିବ ସେ ନେଇ ବିଚାରବିମର୍ଶ ଚାଲିଛି । ଚଳିତ ମାସ ମେ ୭ ତାରିଖରେ ଆରମ୍ଭ ହେଉଥିବା ସମ୍ମିଳନୀ ପାଇଁ କ୍ୟାଥୋଲିକ୍ ଚର୍ଚ୍ଚ ବର୍ତ୍ତମାନ ପ୍ରସ୍ତୁତି କରୁଛି । ବିଶ୍ୱର ୧.୪ ବିଲିୟନ କ୍ୟାଥୋଲିକ୍ ପାଇଁ ନୂତନ ନେତା ଚୟନ କରିବା ପାଇଁ କାର୍ଡିନାଲ୍ସ କଲେଜ ସିଷ୍ଟିନ୍ ଚାପେଲରେ ଏକତ୍ରିତ ହେବେ । ଅନେକ କାର୍ଡିନାଲ୍ସଙ୍କୁ ପୋପ୍ ଫ୍ରାନ୍ସିସ୍ ଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଉଛି । ପାପାବିଲେ ଭାବରେ ଜଣାଶୁଣା ଏହି ବ୍ୟକ୍ତିମାନେ ସେମାନଙ୍କର ଧର୍ମଶାସ୍ତ୍ରୀୟ ବୁଦ୍ଧିମତା, ନେତୃତ୍ୱ କ୍ଷମତା ଏବଂ ଚର୍ଚ୍ଚ ଦିଗଦର୍ଶନ ସହିତ ସମନ୍ୱୟ ପାଇଁ ଜଣାଶୁଣା ।
ତେବେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ଇଟାଲୀର ପିଟ୍ରୋ ପାରୋଲିନ୍, ଫିଲିପିନ୍ସର ଲୁଇସ୍ ଏଣ୍ଟୋନିଓ ଟାଗ୍ଲେ, କୋଙ୍ଗୋର ଏମ୍ବୋଙ୍ଗୋ ବେସୁଙ୍ଗୁ, ଇଟାଲୀ ମାଟିଓ ଜୁପିସ ଓ ହଙ୍ଗେରୀର ପିଟିର୍ ଏର୍ଡୋ ପ୍ରମୁଖ ଦୌଡ଼ରେ ଅଛନ୍ତି ।