ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଜାରି ରହିଛି । ଅନେକ ନେତା ଏହାକୁ ନେଇ ବୟାନବାଜି କରୁଛନ୍ତି । ଏହା ମଧ୍ୟରେ ପଡୋଶୀ ବାଂଲାଦେଶ ଭାରତ ବିରୋଧରେ ହୀନ ବୟାନ ଦେଇଛି । ବାଂଲାଦେଶର ପୂର୍ବତନ ସେନା ଅଧିକାରୀ ତଥା ମହମ୍ମଦ ୟୁନୁସଙ୍କ ପରାମର୍ଶଦାତା ଓ ଘନିଷ୍ଠ ସହଯୋଗୀ କହିଛନ୍ତି, ଯଦି ଭାରତ ପହଲଗାମ ଆତଙ୍କୀ ହମଲାର ଜବାବରେ ପାକିସ୍ତାନ ଉପରେ ଆକ୍ରମଣ କରେ, ତେବେ ବାଂଲାଦେଶକୁ ଚୀନ ସହ ମିଶି ଭାରତର ପୂର୍ବୋତର ରାଜ୍ୟଗୁଡିକୁ ଦଖଲ କରିବା ଉଚିତ୍ ।
ରେହମାନ ମଙ୍ଗଳବାର ବଙ୍ଗଳା ଭାଷାରେ ଫେସବୁକରେ ଲେଖିଛନ୍ତି ଯେ, ଯଦି ଭାରତ ପାକିସ୍ତାନ ଉପରେ ହମଲା କରେ ତେବେ ବାଂଲାଦେଶକୁ ଭାରତର ସାତ ପୂର୍ବୋତର ରାଜ୍ୟ ଉପରେ କବଜା କରିନେବା ଉଚିତ୍ । ସେ ଏହା ମଧ୍ୟ ଲେଖିଛନ୍ତି, ଏହି ବିଷୟରେ ଚୀନ ସହ ଯୁଗ୍ମ ସୈନ୍ୟ ଅଭିଯାନକୁ ନେଇ ଆଲୋଚନା ଆରମ୍ଭ କରିବା ଜରୁରୀ । ତେବେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଅବସରପ୍ରାପ୍ତ ମେଜର ଜେନେରାଲ ଏଲଏମ ଫଜଲୁର ରେହମାନଙ୍କ ଏହି ଟିପ୍ପଣୀରୁ ଦୂରେଇ ରହିଛି ।
ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ରେହମାନଙ୍କ ଏହି ଟିପ୍ପଣୀ ସରକାରଙ୍କ ନୀତି କିମ୍ବା ସ୍ଥିତିକୁ ପ୍ରଦର୍ଶିତ କରୁ ନାହିଁ । ତାଙ୍କ ଟିପ୍ପଣୀରେ ସରକାରଙ୍କ କୌଣସି ସଂପର୍କ ନାହିଁ । ସରକାର କୌଣସି ପ୍ରକାରେ ଏମିତି ବୟାନବାଜିର ସମର୍ଥନ କରନ୍ତି ନାହିଁ । ମନ୍ତ୍ରଣାଳୟ ସବୁ ଲୋକଙ୍କୁ ଅପିଲ୍ କରୁଛି ଯେ, ରେହମାନଙ୍କ ବ୍ୟକ୍ତିଗତ ବିଚାରକୁ ସରକାରଙ୍କ ଦୃଷ୍ଟିକୋଣ ସହ ଯୋଡନ୍ତୁ ନାହିଁ । ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ବାଂଲାଦେଶ ସାର୍ବଭୌମ, କ୍ଷେତ୍ରୀୟ ଅଖଣ୍ଡତା, ପାରସ୍ପରିକ ସମ୍ମାନ ଓ ଶାନ୍ତିପୂର୍ଣ୍ଣ ସହ ଅସ୍ଥିତ୍ୱର ସିଦ୍ଧାନ୍ତ ପ୍ରତି ପ୍ରତିବଦ୍ଧ ଅଟେ ।
ସୂଚନାଯୋଗ୍ୟ, ୟୁନୁସଙ୍କ ସରକାର ୨୦୨୪ ଡିସେମ୍ବରରେ ରେହମାନଙ୍କୁ ୨୦୦୯ ବାଂଲାଦେଶ ରାଇଫଲ୍ସ ବିଦ୍ରୋହକୁ ନେଇ ହୋଇଥିବା ହତ୍ୟକାଣ୍ଡର ତଦନ୍ତ ପାଇଁ ଗଠିତ ରାଷ୍ଟ୍ରୀୟ ସ୍ୱତନ୍ତ୍ର ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ଉଲ୍ଲେଖନୀୟ ପହଲଗାମ ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଆତଙ୍କବାଦୀ ଧର୍ମ ପଚାରି କେବଳ ପୁରୁଷଙ୍କୁ ଟାର୍ଗେଟ୍ କରିଥିଲେ । ଏହି ଘଟଣା ପୂରା ଭାରତକୁ ସ୍ତବ୍ଧ କରିଥିଲା ।