ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଭାରତ ପକ୍ଷରୁ ଗୋଟିଏ ପରେ ଗୋଟିଏ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏହାକୁ ଦେଖି ବିବ୍ରତ ପାକିସ୍ତାନ ଭାରତକୁ ଧମକ ଦେଇ ଚାଲିଛି । ପାକିସ୍ତାନକୁ ସବୁଠୁ ଅଧିକ ଚିନ୍ତା ସିନ୍ଧୁ ଜଳ ଚୁକ୍ତି ଭାରତ ବାତିଲ କରିବାକୁ ନେଇ ଘାରିଛି । ଏଥିରେ ପାକିସ୍ତାନରେ ଜଳ ସଙ୍କଟ ଉତ୍ପନ ହେବାର ସମ୍ଭାବନା ରହିଛି । କେନ୍ଦ୍ର ସରକାର ସିନ୍ଧୁ ନଦୀର ଗୋଟିଏ ବୁନ୍ଦା ପାଣି ପାକିସ୍ତାନକୁ ନ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ପଡୋଶି ପାକିସ୍ତାନ ଆହୁରି ଚିହିଁକି ଉଠିଛି । ଏହିକ୍ରମରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଧମକ ଦେଇ କହିଛନ୍ତି, ଯଦି ଭାରତ ସିନ୍ଧୁ ନଦୀର ଜଳ ଅଟକାଇବା ପାଇଁ ଡ୍ୟାମ ନିର୍ମାଣ କରେ ତେବେ ପାକିସ୍ତାନ ଏହାକୁ ଧ୍ୱଂସ କରି ଦେବ ।
ଏକ ସାକ୍ଷାତକାରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଉଜେଜନାମୂଳକ ଭାଷଣ ଦେଇ କହିଛନ୍ତି, ପାକିସ୍ତାନରେ ପ୍ରବାହିତ ସିନ୍ଧୁ ଜଳର ନଦୀ ଅଟକାଇଲେ ଏହାକୁ ଜଳ ଯୁଦ୍ଧ ଭାବେ ବିବେଚନା କରାଯିବ । ଯଦି ଭାରତ ସିନ୍ଧୁ ନଦୀ ଉପରେ ଡ୍ୟାମ ନିର୍ମାଣ କରେ ତେବେ ପାକିସ୍ତାନର ପ୍ରତିକ୍ରିୟା କଣ ରହିବ ? ଏହି ପ୍ରଶ୍ନର ଉତ୍ତରରେ ଖ୍ୱାଜା ଆସିଫ କହିଛନ୍ତି, ଏହା ପାକିସ୍ତାନ ଉପରେ ଆକ୍ରମଣ ବୋଲି କୁହାଯିବ । କେବଳ ତୋପୋ ଓ ଗୁଳିରେ ଆକ୍ରମଣ କରାଯାଏ ନାହିଁ, ପାଣିକୁ ଅକଟକାଇବା କିମ୍ବା ଏହାର ପ୍ରବାହକୁ ମୋଡି ଦେବା ପାକିସ୍ତାନ ଉପରେ ଆକ୍ରମଣ ବୋଲି କୁହାଯିବ । ଭାରତ ଏହି ପରି କିଛି ଉଦ୍ୟମ କଲେ ପାକିସ୍ତାନ ଉକ୍ତ ଢାଞ୍ଚାକୁ ନଷ୍ଟ କରି ଦେବ ।
ଅନ୍ୟପଟେ ପାକିସ୍ତାନ ଘୋଷଣା କରିଛି ଯେ, ତାଙ୍କ ଦେଶ ୪୫୦ କିଲୋମିଟର ଲକ୍ଷ୍ୟ ଭେଦ କରି ପାରୁଥିବା ଭୂପୃଷ୍ଠରୁ ଭୂପୃଷ୍ଠକୁ ମିସାଇଲର ସଫଳ ପରୀକ୍ଷଣ କରିଛି । ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ ସହିତ ବଢିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ଏହି ପରୀକ୍ଷଣ କରିଛି । ସେନା ପ୍ରେସ ବିବୃତିରେ କହିଛି ଯେ, ଏହି ପରୀକ୍ଷଣର ଉଦ୍ଦେଶ୍ୟ ସୈନିକଙ୍କ ଅଭିଯାନ ତତ୍ପରତାକୁ ସୁନିଶ୍ଚିତ କରିବା । ଏହା ଏକ ଅଭ୍ୟାସ ଓ ବ୍ୟବହାରିକ ପରୀକ୍ଷା ଥିଲା ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି ।