ନୂଆଦିଲ୍ଲୀ: ଭାରତ ସରକାରଙ୍କ ଆକ୍ରମଣାତ୍ମକ ଢଙ୍ଗ ଦେଖି ପାକିସ୍ତାନ ଏବେ ବିଚଳିତ ହେଉଛି । ଆକ୍ରମଣ ଭୟରେ ଏବେ ପାକିସ୍ତାନ ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ବିଶେଷକରି ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ବରଡ଼ା ପତ୍ର ପରି ଥରୁଛନ୍ତି ଆତଙ୍କବାଦୀ ଓ ତାଙ୍କ ସରକାର । ଆକ୍ରମଣ ଆଶଙ୍କାରେ ପିଓକେର ଏଲଓସି ଅଞ୍ଚଳରେ ଥିବା ଆତଙ୍କୀ ସଙ୍ଗଠନର ଲଞ୍ଚପ୍ୟାଡକୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି ।
ରିପୋର୍ଟ ଅନୁଯାୟୀ, ଜମ୍ମୁ ଡିଭିଜନରେ ଅତି କମରେ ତିନୋଟି ପ୍ରମୁଖ ପିଓକେ ଲଞ୍ଚପ୍ୟାଡ - କାଠୁଆ ସଂଲଗ୍ନ ଶକରଗଡ଼, ନୌଶେରା ସଂଲଗ୍ନ ସମାହନି ଏବଂ ହୀରାନଗର ସଂଲଗ୍ନ ସୁଖମାଲ, ଯେଉଁଠାରେ ଲସ୍କର-ଏ-ତୈବା, ଜୈଶ-ଏ-ମହମ୍ମଦ ଏବଂ ଅନ୍ୟାନ୍ୟ ସଂଗଠନର ପ୍ରତ୍ୟେକର ୧୦ ରୁ ୧୨ ଜଣ ଆତଙ୍କବାଦୀ ଏପ୍ରିଲ ୨୨ ପୂର୍ବରୁ ଉପସ୍ଥିତ ଥିଲେ । ସେମାନେ ପାକିସ୍ତାନ ରେଞ୍ଜର୍ସ କିମ୍ବା ପାକିସ୍ତାନ ସେନା ଦ୍ୱାରା ଅନ୍ତର୍ଜାତୀୟ ସୀମାରେଖା କିମ୍ବା ଏଲଓସି ଅତିକ୍ରମ କରି ଭାରତରେ ଅନୁପ୍ରବେଶ କରିବାର ସମ୍ଭାବନା ଥିଲା । ବର୍ତ୍ତମାନ ଉକ୍ତ ଅଞ୍ଚଳ ଖାଲି ହୋଇଥିବା ଜଣାପଡ଼ିଛି । ଏଲଓସି ଏବଂ ଆଇବିରେ ବିଦେଶୀ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ସହଜ କରିବା ପାଇଁ ଆତଙ୍କବାଦୀ ଲଞ୍ଚପ୍ୟାଡ୍ରେ ସାଧାରଣତଃ ଉପସ୍ଥିତ ଥିବା ପାକିସ୍ତାନ ସେନା କିମ୍ବା ପାକିସ୍ତାନ ରେଞ୍ଜର୍ସମାନେ ମଧ୍ୟ ପିଓକେରେ ଥିବା ସେମାନଙ୍କର ପୋଷ୍ଟ ଛାଡ଼ି ଥିବା ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି ।
ପୂର୍ବରୁ ୨୦୧୬ ଉରି ହମଲାର ପ୍ରତିଶୋଧ ଏବଂ ୨୦୧୯ ବାଲକୋଟ ଏୟାର ଷ୍ଟ୍ରାଇକ୍ ଭୟରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । କାରଣ ସେତେବେଳେ ମୋଦୀ ସରକାରଙ୍କ ସର୍ଜିକାଲ ଷ୍ଟ୍ରାଇକରେ ଅନେକ ଆତଙ୍କବାଦୀ ମୃତ୍ୟୁ ବରଣ କରିଥିବାବେଳେ ବହୁତ ଗୁଡ଼ିଓ ଲଞ୍ଚପ୍ୟାଡ୍ ଧ୍ୱଂସ ହୋଇଯାଇଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ପିଓକେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଆଗୁଆ ୨ ମାସର ରାସନ ମହଜୁତ ରଖିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ୧୦୦୦ରୁ ଉର୍ଦ୍ଧ୍ୱ ମାଦ୍ରାସାକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ କରିଦେଇଛନ୍ତି । ସେହିପରି ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଏହା ସହିତ ହୋଟେଲ୍ ଓ ଗେଷ୍ଟ୍ ହାଉସଗୁଡ଼ିକରେ ସେନା ମୁତୟନ କରାଯାଇଛି ।