ନୂଆଦିଲ୍ଲୀ: ଭାରତ ଦ୍ୱାରା ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନର ଆଶଙ୍କାରେ ପାକ୍ ଅଧିକୃତ କାଶ୍ମୀରରେ ମଦ୍ରାସାଗୁଡ଼ିକରେ ଏବେ ତାଲା ଝୁଲୁଛି । ପ୍ରାୟ ୧୦୦୦ ରୁ ଅଧିକ ମଦ୍ରାସାକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ଘୋଷଣା କରାଯାଇଛି । ପରବର୍ତ୍ତୀ ସୂଚନା ନ ଆସିଲା ପର୍ଯ୍ୟନ୍ତ ମଦ୍ରାସା ଖୋଲିପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ମଦ୍ରାସାର ଛାତ୍ରଛାତ୍ରୀଙ୍କୁ କିପରି ଆକ୍ରମଣ ସମୟରେ ରକ୍ଷା ପାଇପାରିବେ ସେ ନେଇ ମଧ୍ୟ ତାଲିମ ଦେଉଛି ପାକିସ୍ତାନ ।
ପାକ୍ ଅଧିକୃତ କାଶ୍ମୀରର ମୁଖ୍ୟ ସହର ମୁଜାଫରାବାଦରେ, ଜରୁରୀକାଳୀନ ସେବା କର୍ମଚାରୀମାନେ ସ୍କୁଲ ପିଲାମାନଙ୍କୁ ତାଲିମ ଦେଉଛନ୍ତି । ଯଦି ଭାରତ ପକ୍ଷରୁ ଆକ୍ରମଣ କରାଯାଏ ତେବେ ଏପରି ପରିସ୍ଥିତିରେ ସେମାନେ କ'ଣ କରିବା ଉଚିତ, ପିଲାମାନଙ୍କର ପ୍ରାଥମିକ ଚିକିତ୍ସା କିପରି କରିବେ, ଜଣେ ବ୍ୟକ୍ତିଙ୍କୁ ଷ୍ଟ୍ରେଚରରେ କିପରି ବୋହିବେ, ନିଆଁ ଲିଭାଇବେ ଇତ୍ୟାଦି ବିଷୟରେ ତାଲିମ ଦିଆଯାଉଛି । ସେହିପରି ୧୦ ଦିନ ପାଇଁ ଧାର୍ମିକ ଅନୁଷ୍ଠାନ ନ କରିବାକୁ ପିଓକେର ଧାର୍ମିକ ବ୍ୟାପାର ବିଭାଗର ମୁଖ୍ୟ ହାଫିଜ୍ ନାଜିର ଅହମ୍ମଦ କହିଛନ୍ତି ।
ଅନ୍ୟପକ୍ଷେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ବିଶ୍ୱ ସ୍ତରରେ ମଧ୍ୟ ପ୍ରୟାସ ଆରମ୍ଭ ହୋଇଛି । ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହ ପୃଥକ ଭାବରେ କଥା ହୋଇ ଦକ୍ଷିଣ ଏସିଆରେ ଉତ୍ତେଜନା ହ୍ରାସ କରିବା ଏବଂ ଶାନ୍ତି ଏବଂ ସୁରକ୍ଷା ବଜାୟ ରଖିବା ପାଇଁ ଆହ୍ୱାନ କରିଛନ୍ତି । ରୁବିଓ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ଏହି "ଅମାନବୀୟ ଆକ୍ରମଣ"ର ତଦନ୍ତରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।
ଅପରପକ୍ଷରେ ଏନଆଇଏ ପହଲଗାମ ଆକ୍ରମଣକାରୀଙ୍କ ଫଟୋ ଜାରି କରିଛି । ଏପିରିକି ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏପ୍ରିଲ ୨୨ରେ ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ସମସ୍ତଙ୍କୁ ସେମାନଙ୍କର ଧର୍ମ ପଚାରିକି ନର ସଂହାର କରିଥିଲେ ଆତଙ୍କବାଦୀ ।