ବିଜାପୁର: ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି । ପୋଲିସ ସୂଚନାଦାତ ସନ୍ଦେହରେ ୨ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ମୃତକମାନେ ହେଲେ ତରେମ ଥାନା ଅନ୍ତର୍ଗତ ବୁଦୁଗିଚେରୁ ଗ୍ରାମର କାରମ ରାଜୁ(୩୨) ଏବଂ ମାଡ଼ବି ମୁନ୍ନା(୨୭) ।
ଗତକାଲି ବିଳମ୍ବିତ ରାତିରେ ବୁଦୁଗିଚେରୁ ଗ୍ରାମର କାରମ ରାଜୁ ଏବଂ ମାଡ଼ବି ମୁନ୍ନାଙ୍କୁ ଘରୁ ଅପହରଣ କରି ନେଇ ଯାଇଥିଲେ ଲାଲବାହିନୀ । ପୁଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ଅକଥନୀୟ ନିର୍ୟ୍ୟାତନା ଦେବା ପରେ ହତ୍ୟା କରିଛନ୍ତି । ଏହା ପରେ ଗାଁରେ ମୃତ ଦେହକୁ ଫୋପାଡ଼ି ଦେଇଥିଲେ । ପରିବାର ଲୋକ ତରେମ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଗାଁରେ ପହଁଚି ମୃତ ଦେହକୁ ଜବତ କରିଛି ।
ସୂଚନା ଯୋଗ୍ୟ, ଜାନୁୟାରୀ ୨୬ ତାରିଖ ବିଜାପୁରର ଭୈରମଗଡ଼ ଥାନା କେଶମୁଣ୍ଡା ଗାଁରେ ପୋଲିସ ଇନଫର୍ମର ସନ୍ଦେହରେ ବଦ୍ରୁ ସୋଢ଼ୀ ନାମକ ଜଣେ ବ୍ୟକ୍ତିଙ୍କୁ ଘରେ ପଶି ହତ୍ୟା କରିଥିଲେ । ଏହା ପୂର୍ବରୁ ଗତ ବର୍ଷ ଅଗଷ୍ଟ ମାସରେ ବିଜାପୁର ମିରତୁ ଥାନା ଅନ୍ତର୍ଗତ ଜପ୍ପେମାର୍କା ଗ୍ରାମରେ ଲାଲାବାହିନୀ ପ୍ରଜାକୋର୍ଟରେ ପୋଲିସ ଇନଫର୍ମର ଅଭିଯୋଗରେ ମାଡବି ସୁଜା ଓ ପୋଡ଼ିୟମ କୋସାକୁ ଫାଶୀ ଦଣ୍ଡ ଦିଆଯାଇଥିଲା ।