କଂଗ୍ରେସକୁ ନିର୍ମଳାଙ୍କ ହମଲା, ଆମ ପାର୍ଟିରେ କେହି ଭେଣୋଇ କି ଜ୍ଵାଇଁ ନାହାନ୍ତି
Khabar Odisha:national-odisha-finance-minister-nirmala-sitaraman-takes-jibe-at-congress-and-robert-vadra-in-loksabha
ନୂଆଦିଲ୍ଲୀ, ଡିସେମ୍ବର୦୨(ଖବର ଓଡ଼ିଶା):

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କାହାରି ନାମ ନନେଇ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ଵାମୀ ରବର୍ଟ ଭଦ୍ରା ଓ କଂଗ୍ରେସ ଉପରେ ନିଶାଣ କରିଛନ୍ତି। ଲୋକସଭାରେ ସରକାରୀ ଯୋଜନାକୁ ନେଇ ହୋଇଥିବା ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଆମ ଯୋଜନାର ଲାଭ ସାଧାରଣ ଜନତାଙ୍କୁ ମିଳୁଛି, ନା କୌଣସି ଭେଣୋଇକୁ ମିଳୁଛି।

ନିର୍ମଳା ସୀତାରମଣ କହିଛନ୍ତି ଯେ, ଆମ ସରକାର ଯେଉଁ ଯୋଜନା ପ୍ରଚଳନ କରିଛନ୍ତି, ସେଥିରେ ସାଧାରଣ ଜନତା ଉପକୃତ ହେଉଛନ୍ତି। ଆୟୁଷ୍ମାନ ଭାରତ ଯୋଜନାର ଲାଭ ଯେଉଁ ଲୋକଙ୍କୁ ମିଳୁଛି, ସେମାନେ କାହାରି ସଂପର୍କୀୟ, ଭେଣୋଇ କି ଜ୍ଵାଇଁ ନାହାନ୍ତି ? ପ୍ରତି ଜବାବରେ କଂଗ୍ରେସ ପାର୍ଟି ପକ୍ଷରୁ ଗୃହରେ ହଙ୍ଗାମା ହେବାରୁ ସୀତାରମଣ ଆମ ପାର୍ଟିରେ କେହି ଭେଣୋଇ ନାହାନ୍ତି, ସମସ୍ତେ କାର୍ଯ୍ୟକର୍ତ୍ତା ଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଅର୍ଥ ମନ୍ତ୍ରୀ କର୍ପୋରେଟ୍ ଟ୍ୟାକ୍ସ ଓ  ଜିଡିପି ହ୍ରାସକୁ ନେଇ ହୋଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ମୋତେ କୁହାଯାଉଛି ଯେ, ମୁଁ ଅଦ୍ୟାବଧି ସବୁଠୁ ଖରାପ ଅର୍ଥମନ୍ତ୍ରୀ। ଏମାନେ ମୋର କାର୍ଯ୍ୟକାଳ ପୂରା ହେବାର ଅପେକ୍ଷା ମଧ୍ୟ କରୁ ନାହାନ୍ତି। ମୁଁ ସେମାନଙ୍କୁ କହୁଛି ଯେ, ମୋତେ ଆଇଡ଼ିଆ ଦିଅନ୍ତୁ, ଆମେ ଏହା ଉପରେ କାମ କରିବୁ। ଯଦି କୌଣସି ସରକାର ଜନତାଙ୍କ କଥା ଶୁଣୁଛି ତାହା ହେଉଛି ମୋଦୀ ସରକାର। 

ଅର୍ଥମନ୍ତ୍ରୀ  କହିଛନ୍ତି ଯେ, ଆଜି କର୍ପୋରେଟ୍ ଟ୍ୟାକ୍ସ କମ କରିବାରେ କେବଳ ବଡ଼ ବଡ଼ କମ୍ପାନୀଙ୍କୁ ଫାଇଦା ମିଳିବ ନାହିଁ, ବରଂ ଛୋଟ ବ୍ୟବସାୟୀଠୁ ନେଇ ବଡ଼ ବ୍ୟବସାୟୀ ପର୍ଯ୍ୟନ୍ତ ସଭିଙ୍କୁ ଫାଇଦା ମିଳିବ। କର୍ପୋରେଟ୍ ଟ୍ୟାକ୍ସ ହ୍ରାସ ବିଷୟରେ ନିର୍ମଳା କହିଛନ୍ତି ଯେ, ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଲଢ଼େଇରେ ପରବର୍ତ୍ତୀ ପ୍ରଭାବର ସଙ୍କେତ ମିଳିଛି। ଅନେକ କର୍ପୋରେଟ୍ ଓ ବହୁରାଷ୍ଟ୍ରୀୟ କମ୍ପାନୀ ଚୀନରୁ ବାହାରିବାକୁ ଚାହୁଁଛନ୍ତି। ତେଣୁ ଏମିତି ସମୟରେ ଅନ୍ତରାଷ୍ଟ୍ରୀୟ କମ୍ପାନୀକୁ ଭାରତ ପ୍ରତି ଆକର୍ଷିତ କରିବା ଲାଗି କର୍ପୋରେଟ୍ ଟ୍ୟାକ୍ସ ହ୍ରାସ କରିବା ଉପଯୁକ୍ତ ସମୟ ଥିଲା।

Subscribe

National International State Sports Entertainment