ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନକ୍ସଲ ବିରୋଧୀ ଅଭିଯାନରେ ମଧ୍ୟପ୍ରଦେଶ ପୋଲିସକୁ ବଡ଼ ସଫଳତା ମିଳିଛି । ବାଲାଘାଟରେ ସୁରକ୍ଷାବାହିନୀ ଏବଂ ଲାଲବାହିନୀ ମଧ୍ୟରେ କଡ଼ା ମୁକାବିଲା ହୋଇଛି । ଯେଉଁଥିରେ ୪ ଜଣ ମହିଳା ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଛି । ଯାହାଙ୍କ ମୁଣ୍ଡରେ ୧୪ ଲକ୍ଷ ଟଙ୍କା ପୁରସ୍କାର ଥିଲା। ଚାରି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହିତ ଦୈନନ୍ଦିତ ବ୍ୟବହାର ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।
ସୂପଖାର ଜଙ୍ଗଲ ଅଞ୍ଚଳରେ ସୁରକ୍ଷାବାହିନୀ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା । ଏଥିରେ ପ୍ରାୟ ୫୦୦ ଯବାନ ସାମିଲ ହୋଇଥିଲେ । ଏହି ସୟମରେ ରୌନ୍ଦା ବନ ଶିବିର ନିକଟରେ ସୁରକ୍ଷାବାହିନୀ ଉପରକୁ ଆକ୍ରମଣ କରି ଗୁଳି ଚଳାଇଥିଲେ । କିନ୍ତୁ ଯବାନମାନେ ପାଲଟା ଜବାବ ଦେଇଥିଲେ । କିଛି ସମୟ ଧରି ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଶେଷରେ ୪ ଜଣ ମହିଳା ମାଓବାଦୀ ଟଳିଥିଲେ । ତେବେ ସେଠାରେ ଆହୁରି ନକ୍ସଲ ଆହତ ହୋଇଥିବା ଆଶଙ୍କା କରାଯାଉଛି ।
ସମସ୍ତ ମୃତ ମାଓବାଦୀ କାହ୍ନା ଭୋରମଦେବ କମିଟିର ସଦସ୍ୟ ବୋଲି ଜଣାପଡ଼ିଛି । ଦୁଇ ଜଣଙ୍କ ପରିଚୟ ମିଳିପାରିଛି, ସେମାନେ ହେଲେ ପ୍ରମିଳା ଏବଂ କରିଶ୍ମା । ଅନ୍ୟ ଦୁଇ ଜଣଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କଠାରୁ ଗୋଟିଏ ଇନସାସ ରାଇଫଲ୍, ଗୋଟିଏ ଏସ୍ଏଲ୍ଆର୍, ଗୋଟିଏ ୩୦୩ ରାଇଫଲ୍ ଜବତ କରାଯାଇଛି । ଏନକାଉଣ୍ଟର ସ୍ଥଳରୁ ନକ୍ସଲ ସାହିତ୍ୟ ସହିତ ଦୈନନ୍ଦିନ ବ୍ୟବହାରର ଜିନିଷପତ୍ର ମଧ୍ୟ ଉଦ୍ଧାର କରାଯାଇଛି। ବୁଧବାର ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ୧୧୦ ରାଉଣ୍ଡରୁ ଅଧିକ ଗୁଳିଚାଳନା ହୋଇଥିବା ଅଧିକାରୀମାନେ କହିଛନ୍ତି।
ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ପୋଲିସକୁ ଅଭିନନ୍ଦନ ଜଣାଇଛନ୍ତି । ୨୦୨୬ ସୁଦ୍ଧା ଦେଶରୁ ନକ୍ସଲବାଦକୁ ମୂଳପୋଛ କରିବାକୁ ପଡିବ ।
ସାଢ଼େ ତିନି ଦଶକର ଲମ୍ବା ଇତିହାସରେ ପ୍ରଥମ ଥର ପାଇଁ, ବାଲାଘାଟରେ ପୋଲିସ ଏକକାଳୀନ ଚାରି ଜଣ ନକ୍ସଲଙ୍କୁ ହତ୍ୟା କରିଛି। ୨୦୨୩ ମସିହା ଅପ୍ରେଲ ମାସରେ ବାଲାଘାଟର ଗଢ଼ୀ ଥାନା ଅନ୍ତର୍ଗତ କଦଲା ଜଙ୍ଗଲରେ ଦୁଇ ମହିଳା ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା ।