ବେଙ୍ଗାଲୁରୁ: ଦେଶର ବିଭିନ୍ନ ରାଜ୍ୟରେ ଦିନକୁ ଦିନ ଗୋରୁ ଚାଲାଣ ଭଳି ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କର୍ଣ୍ଣାଟକ ସରକାର । ଗୋ-ଚାଲାଣକାରୀଙ୍କୁ ସର୍ବସାଧାରଣରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ମଙ୍କଲ ଏସ୍ ବୈଦ୍ୟ ।
ମନ୍ତ୍ରୀ ମଙ୍କଲ ଏସ୍.ଙ୍କ ଦାୟିତ୍ୱରେ ଥିବା ଉତ୍ତର କନ୍ନଡ଼ ଜିଲ୍ଲାରେ ଗୋ-ଚାଲାଣ ଭରି ପ୍ରସଙ୍ଗ ବଢ଼ୁଛି । ନିକଟରେ ଏକ ଗର୍ଭବତୀ ଗାଈର ମୃତ୍ୟୁ ପରେ ମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହିତ କଡ଼ା ଚେତାବନୀ ଦେଇଛନ୍ତି । ଏପରି କାର୍ଯ୍ୟକଳାପରେ ସମ୍ପୃକ୍ତ ଲୋକଙ୍କୁ ସର୍ବସାଧାରଣରେ ଗୁଳି କରାଯିବ ବୋଲି ଚେତାଇ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଜିଲ୍ଲାରେ ଏପରି କାର୍ଯ୍ୟକଳାପ ପ୍ରଶ୍ରୟ ଦେବେ ନାହିଁ । ପ୍ରଶାସନ ଗାଈ ଏବଂ ସେମାନଙ୍କୁ ପାଳନ କରୁଥିବା ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି । ସମ୍ପ୍ରତି ହୋନାଭର ନିକଟରେ ଏକ ଗର୍ଭବତୀ ଗାଈକୁ ହତ୍ୟା କରାଯିବା ଘଟଣାକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ମନ୍ତ୍ରୀ ଏଭଳି ବୟାନ ଦେଇଛନ୍ତି ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ସେମାନେ ଯିଏ ବି ହୁଅନ୍ତୁ ନା କାହିଁକି,ଏହି ଘଟଣା ପଛରେ ଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏପରି ଘଟଣା ଜାରି ରହିବ, ତେବେ ଅଭିଯୁକ୍ତମାନଙ୍କୁ ରାସ୍ତାରେ ଗୁଳି କରି ହତ୍ୟା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । କାମ କର, ରୋଜଗାର କର ଏବଂ ଖାଅ । ଜିଲ୍ଲାରେ ଅନେକ ରୋଜଗାର ଅଛି । ଏଭଳି କାର୍ଯ୍ୟକୁ ସମର୍ଥନ କରାଯିବ ନାହିଁ ।