କନ୍ନୌଜ: ଉତ୍ତର ପ୍ରଦେଶ କନ୍ନୌଜ ରେଲୱେ ଷ୍ଟେସନରେ ଏକ ବଡ଼ ଅଘଟଣ ହୋଇଛି । ଷ୍ଟେସନର ଚାଲୁଥିବା ଏକ ୨ ମହଲା କୋଠାର ଲେଣ୍ଟିଲ୍ ଭୁଶୁଡ଼ି ପଡ଼ିଛି । ଫଳରେ ଭଗ୍ନାବଶେଷ ତଳେ ପ୍ରାୟ ୨୦ ଜଣ ଶ୍ରମିକ ଫସି ରହିଥିବା ଅନୁମାନ କରାଯାଉଛି ।
ଖବର ପାଇ ପୋଲିସ, ଏସଡିଆରଏଫ୍ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଉଦ୍ଧାରକାରୀ ଦଳ ୧୨ ଜଣଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି । ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆହୁରି କିଛି ଶ୍ରମିକ ଫସି ରହିଥିବା ଅନୁମାନ କରାଯାଉଛି । ଯୁଦ୍ଧକାଳୀନ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରେଳ ଷ୍ଟେସନରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାମ ବେଳେ ଏହି ଅଘଟଣ ଘଟିଛି । ତେବେ କେମିତି ନିର୍ମାଣଧୀନ ଲେଣ୍ଟର ଖସିଲା ସେ ନେଇ କିଛି ସ୍ପଷ୍ଟ ହୋଇ ନ ଥିବାବେଳେ ପୋଲିସ ଯାଞ୍ଚ କରୁଛି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତମାନଙ୍କର ସମସ୍ତ ପ୍ରକାର ଚିକିତ୍ସା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛି ଆଦିତ୍ୟନାଥ ।