ରାଞ୍ଚୀ: ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଚମ୍ପାଇ ସୋରେନ ଶୁକ୍ରବାର ବିଜେପିରେ ଯୋଗ ଦେଇଛନ୍ତି । ରାଞ୍ଚୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ ବିଧିବଦ୍ଧଭାବରେ ପଦ୍ମ ଧରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାରାଣ୍ଡିଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଚମ୍ପାଇ ସୋରେନ ଝାଡ଼ଖଣ୍ଡ ନିର୍ମାଣ ପାଇଁ ଅନେକ କଷ୍ଟ ସ୍ୱୀକାର କରିଛନ୍ତି ଓ ନିଜ ଜୀବନକୁ ଜନତାଙ୍କ ସେବାରେ ସମର୍ପିତ କରିଛନ୍ତି। ଝାଡଖଣ୍ଡର ଦୁର୍ନୀତି ଗ୍ରସ୍ତ ସରକାରକୁ ଶାସନରୁ ହଟାଇବା ଲାଗି ବିଜେପିରେ ଯୋଗ ଦେଇଛନ୍ତି । ସେ ଝାଡଖଣ୍ଡର ଟାଇଗର ଓ ଆମେ ଝାଡ଼ଖଣ୍ଡରେ ସରକାର ଗଢିବୁ ବୋଲି ଶିବରାଜ ଦୃଢ଼ୋକ୍ତି କରିଛନ୍ତି ।
ଚମ୍ପାଇ ସୋରେନ ଦୁଇ ଦିନ ତଳେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ଇସ୍ତଫା ଦେଇଥିଲା । ରାଜ୍ୟର ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହେବା ଜେଏମଏମ ଏକ ଶକ୍ତ ଝଟକା ଲାଗିଛି ଏବଂ ବିରୋଧୀ ବିଜେପି ପାଇଁ ଏହା ଏକ ବଡ଼ ବିଜୟ ବୋଲି କୁହାଯାଉଛି ।
କିଛି ଦିନ ପୂର୍ବରୁ ଦିଲ୍ଲୀରେ ୩ ଦିନ କ୍ୟାମ୍ପ କରି ଝାଡ଼ଖଣ୍ଡ ଫେରିବା ପରେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଇତିମଧ୍ୟରେ ଇଣ୍ଟରନେଟ ମିଡିଆରେ ଏକ ପୋଷ୍ଟରେ ଚମ୍ପାଇ ଅପମାନିତ ଅନୁଭବ କରିବା କାରଣରୁ ତାଙ୍କ ପୁରୁଣା ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ଅଲଗା ହେବାର ଘୋଷଣା କରିଥିଲେ। ପରେ ସେ ଏକ ଅଲଗା ସଂଗଠନ ଗଠନ କରିବାକୁ ମଧ୍ୟ କହିଥିଲେ।