ଜମ୍ମୁ-କାଶ୍ମୀରର ପହଲଗାମ୍ ରେ ଆତଙ୍କବାଦୀ ଆକ୍ରମଣ ପରେ ଅଟାରୀ ସୀମାକୁ ବନ୍ଦ କରିଦିନଆଯାଇଛି। ପାକିସ୍ତାନ ସୀମାରେ ପ୍ରବେଶ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଭାରତ ପାକିସ୍ତାନୀ ନାଗରିକଙ୍କ ସମସ୍ତ ଭିସା ବାତିଲ କରିବାକୁ ନିଷ୍ପତି ନେବା ସହ ପାକିସ୍ତାନରେ ଥିବା ଭାରତୀୟ ନାଗରିକ ଯଥାଶୀଘ୍ର ଫେରି ଆସିବାକୁ ପରାମର୍ଶ ଦେଇଛି। ଭାରତ-ପାକିସ୍ତାନ ସୀମାର ସ୍ଥିତି ହଠାତ୍ ବଦଳିଯାଇଛି। ଅନେକ ପାକିସ୍ତାନୀ ପିଲାଙ୍କୁ ସେମାନଙ୍କ ମା’ଙ୍କ ଠାରୁ ଅଲଗା କରିଦିଆଯାଇଛି। ପିଲାମାନଙ୍କୁ ଏବେ ମା’ଙ୍କ ବିନା ପାକିସ୍ତାନ ଫେରିବାକୁ ବାଧ୍ୟ କରାଯାଇଛି। ଏହାରି ଭିତରେ ଏକ ହୃଦୟ ବିଦାରିକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ଅନେକ ଲୋକଙ୍କୁ ଭାବବିହ୍ୱଳ କରିବ।
୧୧ ବର୍ଷର ପୁଅ ଜୈନବ ଓ ୮ ବର୍ଷର ଝିଅ ଜେନିଶ ଭାରତରେ ରହୁଥିବା ନିଜ ଆଈଙ୍କୁ ଦେଖିବାକୁ ଦିଲ୍ଲୀ ଆସିଥିଲେ । ହେଲେ ଏବେ ପରିସ୍ଥିତି ଏଭଳି ଯେ, ନିଜ ମାଆଙ୍କୁ ଭାରତରେ ଛାଡି ପାକିସ୍ତାନ ଫେରିବାକୁ ପଡୁଛି ଦୁଇ ଛୋଟଛୋଟ ପିଲାଙ୍କୁ । କାରଣ ମାଙ୍କ ପାଖରେ ଅଛି ଭାରତୀୟ ପାସପୋର୍ଟ। ହେଲେ ଦୁଇ ପିଲା ହେଉଛନ୍ତି ପାକିସ୍ତାନ ନାଗରିକ । ହେଲେ ମାଆଙ୍କୁ ଭାରତରେ ଛାଡି କେମିତି ଯିବେ, କେମିତି ମାଆ ବିନା ଏତେ ଦୂରରେ ରହିବେ? ତେବେ ପରିସ୍ଥିତି ସେମାନଙ୍କୁ ମା’ଙ୍କୁ ଛାଡ଼ି ଏକୁଟିଆ ଯିବାକୁ ବାଧ୍ୟ କରିଛି, ଏନେଇ ଗଣମାଧ୍ୟମ କ୍ୟାମେରା ସାମ୍ନାରେ କହୁ କହୁ କାନ୍ଦି ପକାଉଛନ୍ତି ଦୁଇ ପିଲା, ଯାହା ସେଠିକାର ଲୋକଙ୍କ ଆଖି ଓଦା କରିଦେଇଥିଲା ।
କୁନି ପୁଅ ଜୈନବ ତାଙ୍କ ଲୁହକୁ ରୋକି ନ ପାରି କାନ୍ଦି କାନ୍ଦି କହିଛନ୍ତି, ଏବେ ମୁଁ ମୋ ମାଆଙ୍କୁ ବିନା ପାକିସ୍ତାନ ଫେରୁଛି। ମୋର ହୃଦୟ ଭାଙ୍ଗି ଯାଇଛି। ମୁଁ ମୋ ମାଆ ବିନା ବଞ୍ଚିପାରିବି ନାହିଁ। ଏଥିସହ ନିରୀହ ଲୋକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀମାନଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ଏତେ କଠୋର ଦଣ୍ଡ ଦିଆଯିବା ଦରକାର ଯେ, ସେମାନେ ଏହାକୁ ସାରା ଜୀବନ ମନେ ରଖିବେ ଏବଂ ଅତି କମରେ ଆମ ପରି ସାଧାରଣ ଲୋକଙ୍କୁ ହଇରାଣ ନ କରିବାକୁ ପଡ଼ିବ।
ଅଧିକ ପଢନ୍ତୁ: ଝେଲମରେ ହଠାତ୍ ଜଳ ପ୍ରବାହ ବୃଦ୍ଧି: ପିଓକେରେ ବନ୍ୟା ପରିସ୍ଥିତି; ଛଟପଟ ହେଲା ପାକିସ୍ତାନ