ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲାର ଯାଞ୍ଚ ଜାତୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ)କୁ ହସ୍ତାନ୍ତର କରିଛନ୍ତି । ଏହି ହମଲାରେ ପାକିସ୍ତାନର ସଂପୃକ୍ତି ଥିବା କୁହାଯାଉଛି । ଏହି ଆକ୍ରମଣ ପାଇଁ ନିଜୟ ଦାୟୀ କରିଥିବା ଦ ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ) ଆତଙ୍କୀ ସଂଗଠନ ଲସ୍କର ଏ ତୋଇବା ସହ ଜଡିତ ରହିଛି ।
ଏବେ ପହଲଗାମ ଆତଙ୍କୀ ଆକ୍ରମଣର ତଦନ୍ତ ଏନଆଇଏ କରିବ । ଏ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ବନ୍ଧରେ ଆଦେଶ ଜାରି କରାଯାଇଛି । ଏନଆଇଏ ଏବେ ଜମ୍ମୁ-କାଶ୍ମୀର ପୋଲିସଠୁ କେସ୍ ନିଜ ହାତକୁ ନେବା ପ୍ରକ୍ରିୟାରେ ରହିଛି । ଏହି ହମଲାରେ ସଂପୃକ୍ତ ବ୍ୟାପକ ଆତଙ୍କୀ ନେଟୱର୍କ ଓ ଷଡଯନ୍ତ୍ରକାରୀଙ୍କ ପର୍ଦ୍ଦାଫାଶ ପାଇଁ ଶୀଘ୍ର ତଦନ୍ତ ଆରମ୍ଭ କରିବ ।
ଅଧିକାରୀଙ୍କ ଅନୁଯାୟୀ, ଏନଆଇଏ ଏବେ ଜମ୍ମୁ-କାଶ୍ମୀର ପୋଲିସ ଦ୍ୱାରା ରୁଜୁ ଏଫଆଇଆରକୁ ପୁନର୍ବାର ରୁଜୁ କରି ଆନୁଷ୍ଠାନିକ ଭାବେ ତଦନ୍ତ ଆରମ୍ଭ କରିବ । ତେବେ ଏହା ପୂର୍ବରୁ ଆଇଜି ବିଜୟ ସାଖରେଙ୍କ ନେତୃତ୍ୱରେ ଏନଆଇଏ ଟିମ ଏପ୍ରିଲ ୨୩ରୁ ସ୍ଥାନୀୟ ପୋଲିସର ସହାୟତା କରୁଛନ୍ତି ।
ଏନଆଇ ଗତ କିଛି ଦିନ ହେବ ହମଲାରେ ଜୀବିତ ଲୋକଙ୍କ ବୟାନ ରେକର୍ଡ କରୁଛି । ଏହା ସହିତ ଲସ୍କର, ଜୈଶ ଏ ମହମ୍ମଦ ଓ ଅନ୍ୟ ଆତଙ୍କୀ ସଂଗଠନ ସହ ଜଡିତ ଥିବା ଅପରାଧରେ ଗିରଫ ଆତଙ୍କବାଦୀ ଏବଂ ଓଭର ଗ୍ରାଉଣ୍ଡ ସଦସ୍ୟଙ୍କୁ ଜେରା କରୁଛି । ଅନ୍ୟପଟେ ସେନା, ସିଆରପିଏଫ ଓ ଜମ୍ମୁ-କାଶ୍ମୀର ପୋଲିସର ମିଳିତ ଅପରେସନରେ ଆକ୍ରମଣକାରୀଙ୍କ ସନ୍ଧାନ ଜାରି ରହିଛି ।
ଭାରତୀୟ ଗୁଇନ୍ଦା ଏଜେନ୍ସି ଆକ୍ରମଣର ଡିଜିଟାଲ ପ୍ରମାଣ ପାକିସ୍ତାନର ମୁଜଫରାବାଦ ଓ କରାଚି ସ୍ଥିତ ସୁରକ୍ଷିତ ଠିକଣାର ଟ୍ରେସ କରି ନେଇଛି । ପହଲଗାମ ହମଲାରେ ପାକିସ୍ତାନର ସିଧାସଳଖ ସଂପୃକ୍ତ ଥିବା ଏଥିରୁ ଜଣା ପଡିଛି । କୁହାଯାଉଛି ମୁମ୍ବାଇ ୨୬/୧୧ ଷ୍ଟାଇଲରେ କଂଟ୍ରୋଲ ରୁମ ଅପରେସନ ଜରିଆରେ ପହଲଗାମରେ ଆକ୍ରମଣ କରାଯାଇଛି ।