ନୂଆଦିଲ୍ଲୀ: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଶନିବାର ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଦୃଢ଼ ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ସମୟରେ ସେ ପୀଡିତ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି।
ପହଲଗାମର ବୈସାରନ ଉପତ୍ୟକାରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ୨୬ ଜଣ ପ୍ରାଣ ହରାଇଥିଲେ। ୨୦୧୯ ପୁଲୱାମା ଆକ୍ରମଣ ପରେ ଏହି ଆକ୍ରମଣ ଘାଟିର ସବୁଠାରୁ ଖରାପ ଘଟଣା ମଧ୍ୟରୁ ଗୋଟିଏ ଥିଲା। ପୁଲୱାମା ଆକ୍ରମଣରେ ୪୦ ଜଣ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ୍) ଯବାନ ସହିଦ ହୋଇଥିଲେ।
ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କଡ଼ା ନିନ୍ଦା କରିଛନ୍ତି ଏବଂ ପୀଡିତଙ୍କ ପ୍ରତି ସମବେଦନା ଜଣାଇଛନ୍ତି," ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଟ୍ୱିଟରରେ ଲେଖିଛନ୍ତି। ଫୋନରେ ଆଲୋଚନା ସମୟରେ ଉଭୟ ନେତା ସହମତ ହୋଇଥିଲେ ଯେ କୌଣସି ପରିସ୍ଥିତିରେ ଆତଙ୍କବାଦକୁ ଯଥାର୍ଥ କରାଯାଇପାରିବ ନାହିଁ। ବୈଦେଶିକ ମନ୍ତ୍ରାଳୟ କହିଛି, 'ଉଭୟ ନେତା ଏକମତ ହୋଇଥିଲେ ଯେ ଏପରି ଆତଙ୍କବାଦୀ କାର୍ଯ୍ୟକୁ କୌଣସି ପ୍ରକାରେ ଯଥାର୍ଥ କରାଯାଇପାରିବ ନାହିଁ ଏବଂ ମାନବତାରେ ବିଶ୍ୱାସ କରୁଥିବା ସମସ୍ତ ଲୋକଙ୍କୁ ଆତଙ୍କବାଦ ବିରୋଧରେ ଲଢ଼େଇରେ ଏକାଠି ଠିଆ ହେବା ଉଚିତ।'
ଭାରତରେ ଥିବା ଇରାନୀ ଦୂତାବାସ ମଧ୍ୟ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଉପରେ ଏକ ପୋଷ୍ଟ ସେୟାର କରିଛି, ଯେଉଁଥିରେ ଆତଙ୍କବାଦ ବିରୋଧୀ ମୁକାବିଲା ଏବଂ ଆଞ୍ଚଳିକ ଶାନ୍ତି ପାଇଁ ସହଯୋଗ ପାଇଁ ଦୁଇ ଦେଶର ସମାନ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରାଯାଇଛି। ରାଷ୍ଟ୍ରପତି ପେଜେଶକିୟାନ ଆକ୍ରମଣ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ସହିତ ଏକତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଇରାନର ସମର୍ଥନ ନେଇ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ସେ କହିଛନ୍ତି, ନୂଆଦିଲ୍ଲୀରେ ତେହରାନର ଏହି ବିଚାର ସହିତ ଏକମତ। ଆଞ୍ଚଳିକ ସହଯୋଗ ଏବଂ ଏକତା ଆତଙ୍କବାଦ ବିରୋଧରେ ଲମିବାର ନିତ୍ୟାନ୍ତ ଆବଶ୍ୟକ।
ଅଧିକ ପଢ଼ନ୍ତୁ: ସିନ୍ଧୁ ଜଳ ଚୁକ୍ତିନାମା ସମାପ୍ତ ହେଲା ପରେ ପ୍ରଭାବିତ ହେବ ପାକିସ୍ତାନ