ଇସଲାମାବାଦ: ଦକ୍ଷିଣ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଉପରେ ଭାରତର କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ପାକିସ୍ତାନ ମଧ୍ୟ କ୍ରୋଧିତ ହୋଇ ଅନେକ ନିର୍ଦ୍ଦେଶ ଜାରି କରିଛି। ଭାରତୀୟ ବିମାନ ସେବା ପାଇଁ ପାକିସ୍ତାନ ତାର ବାୟୁସୀମା ବନ୍ଦ କରିବା ସହିତ ଭାରତ ସହିତ ଯାହା ବି କ୍ଷୁଦ୍ର ବାଣିଜ୍ୟ ଥିଲା ତାହାକୁ ମଧ୍ୟ ବନ୍ଦ କରିଦେଇଛି। ଏବେ ଏହି ନିଷ୍ପତ୍ତି ପାଇଁ ପାକିସ୍ତାନକୁ ବହୁତ ମୂଲ୍ୟ ଦେବାକୁ ପଡ଼ିପାରେ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭାରତ ସହିତ ବାଣିଜ୍ୟ ସମ୍ପୂର୍ଣ୍ଣ ବନ୍ଦ କରିବା ପରେ ପାକିସ୍ତାନର ଔଷଧ କ୍ଷେତ୍ରକୁ ଏକ ବଡ଼ ଝଟକା ଲାଗିପାରେ। ପାକିସ୍ତାନର ଅନେକ ସ୍ୱାସ୍ଥ୍ୟ ଅଧିକାରୀ ଔଷଧ ଯୋଗାଣ ସୁରକ୍ଷିତ କରିବା ପାଇଁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିସାରିଛନ୍ତି।
ଭାରତ ସହିତ ବାଣିଜ୍ୟ ସ୍ଥଗିତ କରିବା ପରେ, ପାକିସ୍ତାନ ଏହାର ଔଷଧ ଆବଶ୍ୟକତା ପୂରଣ କରିବା ପାଇଁ ଉପାୟ ଖୋଜିବା ଆରମ୍ଭ କରିଛି। ପାକିସ୍ତାନୀ କର୍ତ୍ତୃପକ୍ଷ ଔଷଧ ଯୋଗାଣ ପାଇଁ ଜରୁରୀକାଳୀନ ପ୍ରସ୍ତୁତି କରୁଛନ୍ତି।
ପାକିସ୍ତାନର ଡ୍ରଗ୍ ରେଗୁଲେଟୋରୀ ଅଥରିଟି (ଡିଆରଏପି) ମଧ୍ୟ ଏହାକୁ ନିଶ୍ଚିତ କରିଛି। ଯଦିଓ ଏ ସମ୍ପର୍କରେ କୌଣସି ଆନୁଷ୍ଠାନିକ ନୋଟିସ୍ ଜାରି କରାଯାଇ ନାହିଁ, କିନ୍ତୁ ଯଦି ଭାରତ ସହିତ ବାଣିଜ୍ୟ ବନ୍ଦ କରାଯାଏ, ତେବେ ପାକିସ୍ତାନରେ ଔଷଧର ଅଭାବ ଦେଖାଦେଇପାରେ। ପାକିସ୍ତାନକୁ ଔଷଧ ଯୋଗାଣ ପାଇଁ ଡିଆରଏପି ଅନ୍ୟ ଦେଶମାନଙ୍କ ପାଖକୁ ଯାଇପାରିବ।
ଡିଆରଏପିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ - ୨୦୧୯ ରେ ମଧ୍ୟ ସମାନ ଅସୁବିଧା ଦେଖାଯାଇ ଥିଲା। ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇ ଦିଆଯାଇଥିଲା, ଯାହାର ପ୍ରତିବାଦରେ ପାକିସ୍ତାନ ସମାନ ପଦକ୍ଷେପ ନେଇଥିଲା। ସେବେଠାରୁ, ଆମେ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲୁ। ଦେଶରେ ଔଷଧର ଅଭାବ ପୂରଣ କରିବା ପାଇଁ ଆମେ ବିକଳ୍ପ ଉପାୟ ଖୋଜୁଛୁ।
ସୂଚନାଯୋଗ୍ୟ, ପାକିସ୍ତାନ ଔଷଧର ଚାହିଦା ପୂରଣ କରିବା ପାଇଁ ପ୍ରଚୁର ପରିମାଣରେ ଔଷଧ କଞ୍ଚାମାଲ ଆମଦାନୀ କରିଥାଏ। ଏହା ୩୦-୪୦ ପ୍ରତିଶତ କଞ୍ଚାମାଲ ପାଇଁ ଭାରତ ଉପରେ ନିର୍ଭର କରେ। ଭାରତ ପାକିସ୍ତାନକୁ ସକ୍ରିୟ ଔଷଧ ଉପାଦାନ (ଏପିଆଇ) ସମେତ ଅନେକ ଚିକିତ୍ସା ଉତ୍ପାଦ ରପ୍ତାନି କରେ। ଏବେ, ଭାରତ ସହିତ ବାଣିଜ୍ୟ ବନ୍ଦ ହେବା ପରେ, ଡିଆରଏପି ଚୀନ୍, ରୁଷ ଏବଂ ୟୁରୋପୀୟ ଦେଶଗୁଡ଼ିକରେ ଏହାର ବିକଳ୍ପ ଖୋଜୁଛି।
ଅଧିପ ପଢ଼ନ୍ତୁ: ଝେଲମରେ ହଠାତ୍ ଜଳ ପ୍ରବାହ ବୃଦ୍ଧି: ପିଓକେରେ ବନ୍ୟା ପରିସ୍ଥିତି