ନୂଆଦିଲ୍ଲୀ: ପୁଣି ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଛି । ବୁଧବାର ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୋଆ ଅଭିମୁଖେ ଇଣ୍ଡିଗୋର ଏକ ବିମାନ 6E 6271 ଉଡାଣ ଭରିଥିଲା । ମଝି ଆକାଶରେ ବିମାନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରିଥିଲା ବୋଲି ସୂଚନା ମିଳିଛି । ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି)କୁ ଜଣାଇଥିଲେ । ଏହା ପରେ ବିମାନଟି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା। ଇଣ୍ଡିଗୋ ବିମାନଟି ଭୁବନେଶ୍ୱରରୁ ପ୍ରାୟ ୧୦୦ ନଟିକାଲ ମାଇଲ ଉତ୍ତରରେ ଉଡ଼ୁଥିବା ସମୟରେ ଏହି ଘଟଣା ଘଟିଥିଲା।
ବିମାନରୁ ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଯାଇଥିଲା । ବିମାନ ସେବା ସ୍ୱାଭାବିକ ହେବା ପୂର୍ବରୁ ବିମାନଟିର ଯାନ୍ତ୍ରିକ ତ୍ରୁଟି ଯାଞ୍ଚ କରାଯିବ ବୋଲି ଏୟାରଲାଇନ୍ସ ପକ୍ଷରୁ ସୂଚନା ମିଳିଛି । ଯାତ୍ରୀମାନଙ୍କ ପାଇଁ ଗୋଆକୁ ଯାତ୍ରା ଜାରି ରଖିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି। ବିମାନଟିର ତ୍ରୁଟି ତୁରନ୍ତ ଯାଞ୍ଚ କରାଯାଇଥିଲା । ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ପାଇଁ ଏୟାରଲାଇନ୍ସ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ଇଣ୍ଡିଗୋରେ ଯାତ୍ରୀ, କର୍ମଚାରୀ ଓ ବିମାନର ସୁରକ୍ଷା ଓ ନିରାପତ୍ତା ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି । ବହୁ ବାର ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିବା ଯାତ୍ରୀମାନଙ୍କ ଅସନ୍ତୋଷର କାରଣ ପାଲଟିଛି ।
ବିମାନ ଦୁର୍ଘଟଣା ଘଟିବା ଓ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବା ଘଟଣା ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଦେଇଛି ।