ଆଜି ୧୭୧ ବର୍ଷରେ ପାଦ ଥାପିଛି ଭାରତୀୟ ରେଳ। ଆଜିର ଦିନରେ ପ୍ରଥମେ ଗଡିଥିଲା ଭାରତରେ ରେଳ। ଦୀର୍ଘ ବର୍ଷ ହେଲା ସେବା ଯୋଗେଇ ଆସୁଛି ଭାରତୀୟ ରେଳ ବିଭାଗ। କେବଳ ଏତିକି ନୁହେଁ ଭାରାତୀୟ ରେଳବାଇ ହେଉଛି ବିଶ୍ୱର ଚତୁର୍ଥ ସର୍ବବୃହତ ରେଳ ନେଟୱାର୍କ । ଏହା ସହିତ ଭାରତୀୟ ରେଳବାଇ ହେଉଛି ଦେଶରେ ସବୁଠୁ ଅଧିକ ଚାକିରିର ସୁଯୋଗ ଦେଉଥିବା ସଂଗଠନ ଅଟେ । ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରିଥାନ୍ତି । ଭାରତୀୟ ରେଳବାଇର ଅନେକ କାହାଣୀ ରହିଛି ।
ଯେପରିକି ଭାରତର ପ୍ରଥମ ରେଳ । କେବେ ଗଡିଥିଲା, ଏହା କେଉଁଠାରୁ କେଉଁଠାକୁ ପ୍ରଥମେ ଯାତ୍ରା କରିଥିଲା ? ଯାହାର ରହିଛି ଅନେକ ଇତିହାସ।
୧୮୩୨ ମସିହାରେ ଇଂରେଜମାନେ ଭାରତରେ ଟ୍ରେନ ଚଳାଇବା ନେଇ ଯୋଜନା ଆରମ୍ଭ କରିଥିଲେ । ସେତେବେଳକୁ ପ୍ରିଟେନରେ ରେଳବାଇର ସୁବିଧା ଉପଲବ୍ଧ ହୋଇସାରିଥିଲା । ତେଣୁ ଭାରତରେ ରେଳ ସେବା ଆରମ୍ଭ କଲେ ଅନେକ ପ୍ରକାର ସୁବିଧା ପାଇବା ଲୋଭରେ ଏଠାରେ ମଧ୍ୟ ରେଳର ସୁବିଧା ପାଇଁ ଯୋଜନା ଆରମ୍ଭ କରୁଥିଲେ । ତେବେ ଅନେକ ବିଚାର ଏବଂ ବିଭିନ୍ନ ଯୋଜନା କରିବା ପରେ ମଧ୍ୟ ଏହା ସଫଳ ହୋଇପାରୁ ନଥିଲା । ପ୍ରାୟ ୧ ଦଶନ୍ଧି ପରେ ୧୮୪୪ ମସିହାରେ ଏହାକୁ ଗୁରୁତ୍ୱ ଦେଇଥିଲେ ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲର୍ଡ ହାର୍ଡିଙ୍ଗ । ବେସରକାରୀ ଉଦ୍ୟୋଗୀମାନଙ୍କୁ ଏହି କ୍ଷେତ୍ରରେ ସାମିଲ କରିବା ସହ ସେମାନଙ୍କୁ ରେଳ ପ୍ରଣାଳୀରେ କାମ କରିବା ପାଇଁ ସେ ଅନୁମତି ଦେଇଥିଲେ । ଏହାପରେ ୧୮୪୫ ମସିହାରେ ‘ଇଷ୍ଟ ଇଣ୍ଡିଆନ ରେଲୱେ କମ୍ପାନୀ’ ଏବଂ ‘ଗ୍ରେଟ ଇଣ୍ଡିଆନ ପେନିନସୁଲା ରେଲୱେ’ ନାମରେ ଦୁଇଟି କମ୍ପାନୀ ପ୍ରସ୍ତୁତ ହୋଇଥିଲା ।
ସମସ୍ତ ଯୋଜନା ପରେ ୧୮୫୩ ମସିହା ଏପ୍ରିଲ ୧୬ ତାରିଖରେ ଭାରତରେ ଗଡିଥିଲା ପ୍ରଥମ ଟ୍ରେନ । ଛତ୍ରପତି ଶିବାଜୀ ଟର୍ମିନାଲରୁ ୩୫ କିଲୋମିଟରର ଯାତ୍ରା କରିଥିଲା ଏହି ଗାଡି । ୩ଟି ଇଞ୍ଜିନ ସହ ପ୍ରଥମ ଟ୍ରେନର ୨୦ଟି କୋଚ ଛତ୍ରପତି ଶିବାଜୀ ଟର୍ମିନାଲରୁ ବାହାରି ଠାଣେରେ ପହଞ୍ଚିଥିଲା । ତେବେ ଆମ ଦେଶର ଏହି ପ୍ରଥମ ଟ୍ରେନ ଯାତ୍ରାରେ ପ୍ରାୟ ୪୦୦ ଯାତ୍ରୀ ସାମିଲ ରହିଥିଲେ । ଆଜି ଭାରତୀୟ ରେଳ ବିଭାଗ ଅନେକ ଉନ୍ନତି କରିଛି ଆଉ ଆଗେଇ ବି ଚାଲିଛି।