ମହାକାଶ କ୍ଷେତ୍ରରେ ଇତିହାସ ରଚିବାକୁ ଯାଉଛି ଭାରତ। ପ୍ରଥମକରି ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନକୁ ପଠାଇବ ମାନବ । ଆସନ୍ତାକାଲି ଇଣ୍ଟର ନ୍ୟାସନାଲ ସ୍ପେସ ଷ୍ଟେସନକୁ ଯିବେ ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା । ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କୁ ପୃଥିବୀକୁ ଆଣିଥିବା ଡ୍ରାଗନ୍ କ୍ୟାପସୁଲ୍ ତାଙ୍କୁ ISSକୁ ନେଇଯିବ । ଡ୍ରାଗନ୍ କ୍ୟାପସୁଲ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ମହାକାଶଚାରୀଙ୍କ ସହିତ ନିର୍ଦ୍ଧାରିତ ସମୟ ଅନୁସାରେ ISSକୁ ଉଡାଣ ଭରିବ।
ରାକେଶ ଶର୍ମା ମହାକାଶକୁ ଯିବାର ୪୧ ବର୍ଷ ପରେ ଏବେ ଭାରତର ଶୁଭ୍ରାଂଶୁ ଶୁକ୍ଲା ମହାକାଶକୁ ଯାଉଛନ୍ତି। ପାଗ ଅନୁକୂଳ ନ ହେବା ଯୋଗୁଁ ଉତକ୍ଷେପଣକୁ ଆଜି (ଜୁନ ୧୦) ପରିବର୍ତ୍ତେ ଆସନ୍ତାକାଲି (ଜୁନ ୧୧) ତାରିଖକୁ ସ୍ଥଗିତ ରଖାଯାଇଛି ବୋଲି ଇସ୍ରୋ ସୂଚନା ଦେଇଛି । ସ୍ପେଶ ଏକ୍ସର ଫାଲକନ୍-୯ ରକେଟ୍ ମଙ୍ଗଳବାର ସନ୍ଧ୍ୟାରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟର (କେଏସସି)ରୁ ଲଞ୍ଚ ହେବାର ଥିଲା । ପାଗ ଅନୁକୂଳ ନ ହେବା ଯୋଗୁଁ ଉତକ୍ଷେପଣକୁ ଆସନ୍ତାକାଲି ପାଇଁ ଘୁଞ୍ଚାଇ ଦିଆଯାଇଛି।
ଶୁଭାଂଶୁଙ୍କୁ ଏହି ଯାତ୍ରା ପାଇଁ ସ୍ପେସ୍ ଏକ୍ସ ଏବଂ ଆକ୍ସିଅମ୍ ସ୍ପେସ୍ ଦ୍ୱାରା ସ୍ୱତନ୍ତ୍ର ତାଲିମ ଦିଆଯାଇଛି। ISSରେ ପହଞ୍ଚିବା ପରେ ଶୁଭାଂଶୁ ଶୁକ୍ଳା ମୋଟ ୧୨ ଟି ପରୀକ୍ଷଣ କରିବେ। ଏଥିମଧ୍ୟରୁ ୭ଟି ପରୀକ୍ଷଣ ଭାରତୀୟ ଶିକ୍ଷାନୁଷ୍ଠାନ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି ୭ଟି ପରୀକ୍ଷଣ ଉଦ୍ଭିଦ ବିହନ ଏବଂ ମଣିଷ ଉପରେ ମାଇକ୍ରୋଗ୍ରାଭିଟିର ପ୍ରଭାବ ସହ ଜଡିତ। ଶୁଭାଂଶୁ ଶୁକ୍ଳା ଅନ୍ୟାନ୍ୟ ଜୈବିକ ପରୀକ୍ଷଣ ମଧ୍ୟ କରିବେ। ଏହା ବ୍ୟତୀତ ସେ ନାସା ପାଇଁ ଅନ୍ୟ ମହାକାଶଚାରୀଙ୍କ ସହିତ ମଣିଷ ସହିତ ଜଡିତ ଆଉ ୫ଟି ପରୀକ୍ଷଣ କରିବେ।
ଶୁଭ୍ରାଂଶୁଙ୍କ ଜନ୍ମ ହେଉଛି ଉତ୍ତରପ୍ରଦେଶର ଲକ୍ଷ୍ନୌରେ । ୨୦୦୬ରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନରେ ଯୋଗଦେଇଥିଲେ ଶୁଭ୍ରାଂଶୁ । ମାର୍ଚ୍ଚ ୨୦୨୪ରେ ଗ୍ରୁପ୍ କ୍ୟାପଟେନ୍ ହୋଇଥିଲେ । ଭାରତର ଉଚ୍ଚାଭିଳାଷୀ ମାନବ ମହାକାଶ ମିଶନ ଗଗନଯାନ ପାଇଁ ମଧ୍ୟ ଶୁଭ୍ରାଂଶୁଙ୍କୁ ମହାକାଶଚାରୀ ଭାବେ ମନୋନୀତ କରିଛି ଇସ୍ରୋ । ମିଶନ ସଫଳ ହେଲେ ଶୁଭ୍ରାଂଶୁ ଶୁକ୍ଲା ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ ଯାତ୍ରା କରିବାରେ ପ୍ରଥମ ଭାରତୀୟ ଏବଂ ରାକେଶ ଶର୍ମାଙ୍କ ପରେ ଦ୍ୱିତୀୟ ମହାକାଶଚାରୀ ହେବେ ।