ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ମାଓ ମୁକ୍ତ ଅଭିଯାନ ଜୋରଦାର ଜାରି ରହିଛି । ଦେଶର ବିଭିନ୍ନ ରାଜ୍ୟରେ ମାଓ ବିରୋଧୀ ଅପରେସନ ଜାରି ରହିଛି । ଏହାରି ମଧ୍ୟରେ ମାଓ ଅଧ୍ୟୁଷିତ ଜିଲ୍ଲା ଭାବରେ ପରିଚିତ ମହାରାଷ୍ଟ୍ର ଗଢ଼ଚିରୌଲୀ ଜିଲ୍ଲାରେ ଅଦ୍ଭୁତପୂର୍ବ ସଫଳତା ଦେଖିବାକୁ ମିଳିଛି । ଏହି ଜିଲ୍ଲାରେ ମରକନାର ନାମକ ଏକ ଗାଁକୁ କେବେବି ବସ୍ ଗଡ଼ି ନ ଥିଲା । ତେବେ ସ୍ୱାଧୀନତାର ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ମରକନାର ଗ୍ରାମକୁ ସରକାରୀ ବସ୍ ଗଡ଼ିଛି । ଫଳରେ ଗ୍ରାମବାସୀଙ୍କ ମଧ୍ୟ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି ।
ଗଢ଼ଚିରୌଲୀ ଜିଲ୍ଲା ଆଦିବାସୀ ବହୁଳ ମାଓ ପ୍ରବଣ ଜିଲ୍ଲା ଅଟେ । ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗମନାଗମନ ସୁବିଧା ବିଶେଷ ଭାବରେ ନ ଥାଏ । ମରକନାର ଗ୍ରାମ ଗଡ଼ଚିରୌଲି ଜିଲ୍ଲାର ଭାମରାଗଡ ଉପଖଣ୍ଡର ଆବୁଝମାଡ଼ ଉପକଣ୍ଠରେ ଅବସ୍ଥିତ, ଯାହାକି ନକ୍ସଲଙ୍କ ଗଡ଼ ଥିଲା । ପୋଲିସର ପ୍ରୟାସ ଦ୍ୱାରା ମରକନାର ଗ୍ରାମରେ ସରକାରୀ ବସ୍ ସେବା ଆରମ୍ଭ ହୋଇଛି । ପୂଜାର୍ଚ୍ଚନା କରାଯିବା ପରେ ତ୍ରିରଙ୍ଗା ଯାତ୍ରା ସହିତ ବସ୍ ଚଳାଚଳ ଆରମ୍ଭ ହୋଇଛି । ଏହା ଦ୍ୱାରା ଗ୍ରାମବାସୀଙ୍କ ସମେତ ଆଖାପାଖ ଅଞ୍ଚଳର ୧୨୦୦ରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେବେ । ମରକନାର, ମୁରୁମ୍ଭୁଶି, ଫୁଲନାର, କୋପର୍ଶି, ପୋୟାରକୋଠି ଏବଂ ଗୁଣ୍ଡୁରଭାହି ଭଳି ଗ୍ରାମର ବାସିନ୍ଦା ଉପକୃତ ହେବେ।
ଦୁର୍ଗମ ଅଞ୍ଚଳରେ ପରିବହନକୁ ସହଜ କରିବା ପାଇଁ ଗଡ଼ଚିରୌଲି ପୋଲିସ ଅନେକ ପ୍ରକଳ୍ପ ଆରମ୍ଭ କରିଛି । ଗତ ପାଞ୍ଚ ବର୍ଷ ମଧ୍ୟରେ, ଗଡ଼ଚିରୌଲୀ ପୋଲିସ ସୁରକ୍ଷାରେ ଜିଲ୍ଲାରେ ୪୨୦.୯୫ କିଲୋମିଟର ଲମ୍ବ ସହିତ ୨୦ଟି ରାସ୍ତା ଏବଂ ୬୦ଟି ସେତୁ ନିର୍ମାଣ କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ଭାବରେ ମୂଳୋତ୍ପାଟନ କରିବାକୁ ଲକ୍ଷ୍ୟ ରଖିଛନ୍ତି।