ଦିଲ୍ଲୀର ହୌଜଖାସ ଅଞ୍ଚଳରେ ଘଟିଥିବା ଏକ ଦୁଃଖଦ ଅଗ୍ନିକାଣ୍ଡରେ ପୂର୍ବତନ IAS ଅଧିକାରୀ ତଥା ଭାରତୀୟ ପ୍ରତିଯୋଗିତା ଆୟୋଗ (CCI)ର ପ୍ରଥମ ଅଧ୍ୟକ୍ଷ ଧନେନ୍ଦ୍ର କୁମାରଙ୍କ ମୃତ୍ୟୁ ଘଟିଛି। ଘରର ଏକ ଏସିର ଇନଡୋର ୟୁନିଟ୍ରେ ବିସ୍ଫୋରଣ ହେବା ପରେ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଧୂଆଁରେ ଅଣନିଶ୍ୱାସୀ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୮୦ ବର୍ଷୀୟ ଧନେନ୍ଦ୍ର କୁମାରଙ୍କ ମୃତ୍ୟୁ ହୋଇଥିଲା।
ଗୁରୁବାର ରାତି ପ୍ରାୟ ୧୧ଟା ୧୮ ମିନିଟ୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ସେତେବେଳେ ଘର ଭିତରେ ପରିବାର ସଦସ୍ୟ ଓ ଘରୋଇ କର୍ମଚାରୀଙ୍କୁ ମିଶାଇ ମୋଟ ପାଞ୍ଚ ଜଣ ଉପସ୍ଥିତ ଥିଲେ। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ପୁଲିସ ଓ ଅଗ୍ନିଶମ ବିଭାଗର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଧନେନ୍ଦ୍ର କୁମାର ଓ ତାଙ୍କ ପୁଅଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଅତ୍ୟଧିକ ଧୂଆଁ ନିଶ୍ୱାସରେ ପ୍ରବେଶ କରିବା ଯୋଗୁଁ ଧନେନ୍ଦ୍ର କୁମାରଙ୍କ ଜୀବନ ବଞ୍ଚାଯାଇ ପାରିନଥିଲା। ତାଙ୍କ ପୁଅ ଆହତ ହୋଇଥିବା ବେଳେ ଚିକିତ୍ସା ପରେ ସେ ବିପଦମୁକ୍ତ ଥିବା ସୂଚନା ମିଳିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏସିର ଇନଡୋର ୟୁନିଟ୍ରେ ବିସ୍ଫୋରଣ ହେବା ପରେ ନିଆଁ ବ୍ୟାପିଥିଲା। ପୁଲିସ ଓ ଫରେନ୍ସିକ ଟିମ୍ ଘଟଣାର ତଦନ୍ତ କରୁଥିବା ବେଳେ ଏଥିରେ କୌଣସି ଷଡଯନ୍ତ୍ର କିମ୍ବା ଦୁର୍ବୃତ୍ତଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମିଳିନାହିଁ। ଘଟଣା ପରେ ଘରର ବିଭିନ୍ନ ଅଂଶ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ଭିତରେ ଥିବା ସାମଗ୍ରୀ ଛାରଖାର ହୋଇଯାଇଛି।
ଧନେନ୍ଦ୍ର କୁମାର ଭାରତୀୟ ପ୍ରଶାସନିକ ସେବାର ୧୯୬୮ ବ୍ୟାଚ୍ର ଅଧିକାରୀ ଥିଲେ। ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସେ ପ୍ରଶାସନିକ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ। କେନ୍ଦ୍ର ସରକାରର ପ୍ରତିରକ୍ଷା, ସଡ଼କ ପରିବହନ ଓ ରାଜପଥ ଏବଂ ସଂସ୍କୃତି ମନ୍ତ୍ରଣାଳୟର ସଚିବ ଭାବେ ସେ କାର୍ଯ୍ୟ କରିଥିଲେ। ଏହା ସହିତ ସେ ଗ୍ରାମୀଣ ବିଦ୍ୟୁତୀକରଣ ନିଗମର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମଧ୍ୟ ଥିଲେ।
୨୦୦୫ରୁ ୨୦୦୯ ମଧ୍ୟରେ ସେ ବିଶ୍ୱ ବ୍ୟାଙ୍କରେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା ଓ ଭୁଟାନ ପାଇଁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ। ପରେ ସେ ଦେଶର ପ୍ରଥମ ପ୍ରତିଯୋଗିତା ଆୟୋଗ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇ ଭାରତର ପ୍ରତିଯୋଗିତା ଆଇନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ନେଇଥିଲେ।
ହରିୟାଣା ସରକାରରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ସଚିବ ଓ HSIIDCର ଅଧ୍ୟକ୍ଷ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ। ଔଦ୍ୟୋଗିକ ବିକାଶରେ ଅବଦାନ ପାଇଁ ସେ ଜାତୀୟ ନାଗରିକ ସମ୍ମାନ ସହ ବିଭିନ୍ନ ପୁରସ୍କାର ପାଇଥିଲେ।
ଧନେନ୍ଦ୍ର କୁମାରଙ୍କ ଅକାଳ ବିୟୋଗ ଦେଶର ପ୍ରଶାସନିକ ଓ ନୀତି ନିର୍ଦ୍ଧାରଣ କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଭିନ୍ନ ମହଳରେ ମତ ପ୍ରକାଶ ପାଇଛି।