ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ୍ଙ୍କୁ ଏସିଆନ୍ ଗେମ୍ସ ଯୋଗ୍ୟତା ପର୍ଯ୍ୟାୟ ଟ୍ରାୟଲ୍ରେ ଭାଗ ନେବା ପାଇଁ ଅନୁମତି ମିଳିଛି। ମେ’ ୩୦ ଏବଂ ୩୧ ତାରିଖରେ ହେବାକୁ ଥିବା ଚୟନ ପ୍ରକ୍ରିୟାରେ ସେ ସାମିଲ ହୋଇପାରିବେ। ଦିଲ୍ଲୀ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଅନ୍ୟପଟେ ଭାରତୀୟ କୁସ୍ତି ମହାସଂଘ (WFI)ର ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ନୋଟିସ୍ ଜାରି କରିବା ସହ ଜୁନ୍ ୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।
ତେବେ ଟ୍ରାୟଲ୍ ପାଇଁ ଅନୁମତି ଦେଇଥିଲେ ମଧ୍ୟ ବିନେଶଙ୍କ ଦାବି ଉପରେ କୋର୍ଟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ଶୁଣାଣି ସମୟରେ ମାନ୍ୟବର କୋର୍ଟ କହିଛନ୍ତି ଯେ, ବିନେଶ ଫୋଗାଟ୍ ଜଣେ ସାଧାରଣ ଆଥଲେଟ୍ ନୁହଁନ୍ତି, ଦେଶ ପାଇଁ ତାଙ୍କର ଅନେକ ଅବଦାନ ରହିଛି। କିନ୍ତୁ ସଫଳତା ସତ୍ତ୍ୱେ ‘ଦେଶ ସବୁବେଳେ ପ୍ରଥମ’।
କ’ଣ ଥିଲା ପୂରା ମାମଲା ?
ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ବିନେଶଙ୍କୁ ଏସିଆନ୍ ଗେମ୍ସ-୨୦୨୬ ଚୟନ ଟ୍ରାୟଲ୍ରେ ଭାଗ ନେବାକୁ ସବୁଜ ସଙ୍କେତ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶକୁ ବିରୋଧ କରି ରେସ୍ଲିଂ ଫେଡେରେସନ ଅଫ୍ ଇଣ୍ଡିଆ (WFI) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଶୁକ୍ରବାର ଶୁଣାଣି ସମୟରେ ଅଦାଲତ କହିଛନ୍ତି, "ଆପଣ ନିଶ୍ଚିତ ଭାବେ ଜଣେ ପ୍ରତିଭାବାନ ଖେଳାଳି, ହେଲେ ଆମ ସାମ୍ନାରେ କିଛି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।"
ଅଦାଲତରେ ଓକିଲଙ୍କ ଯୁକ୍ତି
ବିନେଶଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ କୋର୍ଟଙ୍କୁ ଅନୁରୋଧ କରି କହିଥିଲେ, ମୋ ମହକିଲ କେବଳ ଟ୍ରାୟଲ୍ରେ ଭାଗ ନେବାକୁ ଅନୁମତି ମାଗୁଛନ୍ତି। ବର୍ଷେ ପୂର୍ବରୁ ମା’ ହୋଇଥିବା ଜଣେ ମହିଳା ଖେଳାଳି କେବଳ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ଚାହୁଁଛନ୍ତି।
ନିୟମ ସମସ୍ତଙ୍କ ପାଇଁ ସମାନ
ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ, ଫେବୃଆରୀ ୨୦୨୬ରୁ ଏସିଆନ୍ ଗେମ୍ସର ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା। ଏଥିପାଇଁ ଅତିକମରେ ଚାରୋଟି ପ୍ରତିଯୋଗିତାରେ ଭାଗ ନେବା ଜରୁରୀ ଥିଲା, ଯାହା ବିନେଶ କରିନାହାନ୍ତି। ସେ ସିଧାସଳଖ ମେ’ ମାସରେ ଆସି କୋର୍ଟରେ ଆବେଦନ କରିଛନ୍ତି। ଆମକୁ ମନେ ରଖିବାକୁ ହେବ ଯେ ଭାରତୀୟ କ୍ରୀଡ଼ା ବିଶ୍ୱ କ୍ରୀଡ଼ା ନିୟମ ସହ ଜଡ଼ିତ। ହାଇକୋର୍ଟ କ୍ରୀଡ଼ା ସଂଘର ନିୟମକୁ ଭେଦଭାବପୂର୍ଣ୍ଣ ବୋଲି କହିବା ଆଶ୍ଚର୍ଯ୍ୟଜନକ। ଏହି ନିୟମ ବହୁ ପୂର୍ବରୁ ରହିଛି ଏବଂ ସମସ୍ତ ଖେଳାଳିଙ୍କ ପାଇଁ ସମାନ। ଆପଣ ଦେଶ ପାଇଁ ଗୌରବ ଆଣିଛନ୍ତି ସତ, କିନ୍ତୁ ନିୟମ ଓ ଦେଶର ସ୍ୱାର୍ଥ ସର୍ବୋପରି।