ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ଏକାଧିକ ସ୍କୁଲକୁ ଆସିଥିବା ବୋମା ଧମକରେ ପୋଲିସକୁ ବଡ଼ ସଫଳତା ମିଳିଛି । ମିଥ୍ୟା ବୋମା ଧମକ ଦେଇ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଠାବ କରିଛି ଦିଲ୍ଲୀ ପୋଲିସ । ଏଥିରେ ବିଦ୍ୟାଳୟର ଛାତ୍ରଙ୍କର ସମ୍ପୃକ୍ତି ଥିବା ପୋଲିସ ସ୍ପଷ୍ଟ କରିଛି । ଏକ ଘରୋଇ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ନିଜ ବିଦ୍ୟାଳୟକୁ ଇମେଲ୍ ଜରିଆରେ ବୋମା ଧମକ ଦେଉଥିଲା ବୋଲି ଜଣାପଡ଼ିଛି । ସମ୍ପୃକ୍ତ ଛାତ୍ରକୁ ଅଟକ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ସାଉଥ୍ ଦିଲ୍ଲୀ ଡିସିପି ଅଙ୍କିତ ଚୌହ୍ୱାନ ।
ଡିସିପି ଚୌହ୍ୱାନଙ୍କ ସୂଚନା ଅନୁଯାୟୀ, ନିକଟରେ ୨୩ଟି ଘରୋଇ ସ୍କଲକୁ ବୋମା ଧମକ ଆସିଥିଲା । ଯାହା ପରେ ପୋଲିସ, ଡଗ୍ ସ୍କ୍ୱାର୍ଡ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଁଚି ଛାନଭିନ କରିଥିଲେ ସୁଦ୍ଧା ସ୍କୁଲରେ କୌଣସି ବୋମା ନ ଥିବା ସ୍ପଷ୍ଟ ହୋଇଥିଲା । ତେବେ ପୋଲିସ ମାମଲାର ତଦନ୍ତ କରି ଏକ ଘରୋଇ ସ୍କୁଲର ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରକୁ ଅଟକ ରଖିଛି । ଜେରାବେଳେ ଛାତ୍ର ଜଣକ ଇମେଲ୍ ଜରିଆରେ ବୋମା ଧମକ ଦେଇଥିବା ସ୍ୱୀକାର କରିଛି ।
ଦ୍ୱାଦଶ ଶ୍ରେଣୀର ଏହି ନାବାଳକ ଛାତ୍ର ଜଣକ ପରୀକ୍ଷା ଦେବାକୁ ଚାହୁଁ ନ ଥିଲା । ସେଥିପାଇଁ ସେ ସ୍କୁଲର ଭୟ ସୃଷ୍ଟି କରି ପରୀକ୍ଷା ଏଡ଼ାଇବାକୁ ଚାହୁଁଥିଲା । ସେଥିପାଇଁ ନିଜ ସମ୍ପର୍କୀୟ ଭାଇଙ୍କ ମାଧ୍ୟମରେ ଏହି ଧମକ ଦେଇଥିଲା । ପୂର୍ବରୁ ଦିଆଯାଉଥିବା ମିଥ୍ୟା ବୋମା ଧମକ ଖବରରୁ ମୁଣ୍ଡକୁ ଏହି ଚିନ୍ତାଧାରା ଆସିଥିଲା । ତେବେ ପୋଲିସ ଉକ୍ତ ଛାତ୍ରର ଅଭିଭାବକଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଥିବା କହିଛନ୍ତି ଡିସିପି ।
ଅନ୍ୟପକ୍ଷରେ ରୋହିଣୀ ନଗର ଏବଂ ପଶ୍ଚିମ ବିହାରର ଦୁଇଟି ସ୍କୁଲର ସେହି ବିଦ୍ୟାଳୟର ଛାତ୍ରମାନେ ଏମିତି ବୋମା ଧମକ ଦେଇ ଆତଙ୍କ ଖେଳାଇଥିବା ମଧ୍ୟ ଜଣାପଡ଼ିଛି ।
ଗୁରୁବାର ଦିଲ୍ଲୀର ୧୦ଟି ସ୍କୁଲକୁ ବୋମା ଧମକ ଆସିଥିଲା । ଗତ ଡିସେମ୍ବର ୯ ତାରିଖରେ ୪୪ଟି, ୧୩ ତାରିଖରେ ୩୦ଟି ଏବଂ ୧୪ ତାରିଖରେ ୮ଟି ସ୍କୁଲରୁ ଧମକପୂର୍ଣ୍ଣ ଇମେଲ ଆସିଥିଲା ।