ଚେନ୍ନାଇ: ପୁନଃ ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ ବିରୋଧୀ ମେଣ୍ଟରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। DMK ମୁଖ୍ୟ ଏମ୍.କେ. ଷ୍ଟାଲିନଙ୍କ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଧ୍ୟ ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ସହ ଫୋନରେ କଥା ହୋଇ ସେ ପୁନଃ ସୀମା ନିର୍ଦ୍ଧାରଣ ବିଲ୍ ବିରୋଧରେ ସମର୍ଥନ ଦେବାର ଆଶ୍ୱାସନା ଦେଇଥିବା ରିପୋର୍ଟରେ କୁହାଯାଇଛି।
ରବିବାର ରାହୁଲ ଗାନ୍ଧୀ INDIA ମେଣ୍ଟର ଅନ୍ୟ ନେତାଙ୍କ ସହ ଷ୍ଟାଲିନଙ୍କୁ ଭେଟିବା ପାଇଁ ଚେନ୍ନାଇ ଯାଇଥିଲେ। ଏହା ପୂର୍ବରୁ ସେ CM ବିଜୟଙ୍କ ସହ ଫୋନରେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, DMK ପୂର୍ବରୁ ସଂସଦର ବିଶେଷ ଅଧିବେଶନରେ ଆସିବାକୁ ଥିବା ପୁନଃ ସୀମା ନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ସମ୍ପର୍କିତ ବିଲ୍କୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ଏହାକୁ ନେଇ ବିରୋଧୀ ଶିବିରରେ ଅସନ୍ତୋଷ ଦେଖାଦେଇଛି।
ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ମତରେ, ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି କରିବା ଏବଂ ନିର୍ବାଚନମଣ୍ଡଳୀର ପୁନର୍ଗଠନ ଦ୍ୱାରା ଦେଶର ନିର୍ବାଚନୀ ବ୍ୟବସ୍ଥା ପ୍ରଭାବିତ ହୋଇପାରେ। ଏହାର ରାଜନୈତିକ ଫାଇଦା ବିଜେପି ନେବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।
ଷ୍ଟାଲିନ ମଧ୍ୟ କହିଛନ୍ତି ଯେ, ଏଥର ପୁନଃ ସୀମା ନିର୍ଦ୍ଧାରଣ ବିଲ୍ ପାରିତ ନହେଲେ ତାମିଲନାଡୁକୁ ମିଳିଥିବା ସର୍ବନିମ୍ନ ସୁରକ୍ଷା ମଧ୍ୟ ହଟିଯିବାର ଆଶଙ୍କା ରହିଛି। ତେଣୁ ବିଲ୍କୁ ସମର୍ଥନ କରିବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ ବୋଲି ସେ ନିଜ ମତ ରଖିଛନ୍ତି। ଏହି ପରିସ୍ଥିତିରେ ପୁନଃ ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକମତ ହେବା ଏବେ ବଡ଼ ଚ୍ୟାଲେଞ୍ଜ ପାଲଟିଛି।