ଜୈସଲମେର: ରାଜସ୍ଥାନ ଜୈସଲମେରରେ ମଙ୍ଗଳବାର ଅପରାହ୍ନରେ ଭୟଙ୍କର ଦୁର୍ଘଟଣା ହୋଇଛି । ବସରେ ଅଚାନକ ନିଆଁ ଲାଗିବାରୁ ପ୍ରାୟ ୨୦ ଜଣ ଯାତ୍ରୀଙ୍କର ଦୁଃଖଦ ମୃତ୍ୟୁ ହୋଇଛି । ପୋକରଣର ବିଜେପି ବିଧାୟକ ମୃତକଙ୍କ ସଂଖ୍ୟା ସୁନିଶ୍ଚିତ କରିଛନ୍ତି । ଆହୁରି ଯାତ୍ରୀ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ, ବସଟି ଜୈସଲମେରରୁ ଯୋଧପୁର ଯାଉଥିଲା । ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ଅପରାହ୍ନ ସାଢ଼େ ତିନିଟା ସମୟରେ ଜୈସଲମେରରୁ ପ୍ରାୟ ୨୦ କିଲୋମିଟର ଦୂରରେ ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ଥୈୟତ ଗ୍ରାମ ଅତିକ୍ରମ କରିବା ପରେ ବସର ପଛ ପାର୍ଶ୍ୱରୁ ଧୂଆଁ ଉଠିଥିଲା । ଚାହୁଁ ଚାହୁଁ ଅଚାନକ ବସରେ ନିଆଁ ବ୍ୟାପୀ ଯାଇଥିଲା । ବସ ଭିତରେ ଯାତ୍ରୀମାନେ ଚିତ୍କାର କରିଥିଲେ । କିଛି ଯାତ୍ରୀ ପ୍ରାଣ ବିକଳରେ ବସର ଝରକା ଭାଙ୍ଗି ଡେଇଁବାରେ ସଫଳ ହୋଇଥିଲେ ।
ଗ୍ରାମବାସୀ ଏବଂ ପଥଚାରୀମାନେ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତେ ପାଣି ପକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ପରେ ପରେ ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣା ସ୍ଥଳରେ ପହଁଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ପ୍ରାୟ ଏକ ଘଣ୍ଟା ପରେ ନିଆଁ ନିୟନ୍ତ୍ରଣକୁ ଆସିଥିଲା । କିନ୍ତୁ ସେତେବେଳକୁ ସବୁକିଛି ଶେଷ ହୋଇଯାଇଥିଲା । ଅର୍ଦ୍ଧଦଗ୍ଧ ଯାତ୍ରୀଙ୍କୁ ତିନୋଟି ଆମ୍ବୁଲାନ୍ସରେ ଜବାହର ମେଡ଼ିକାଲ, ଜୈସଲେମର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ କିଛି ଯାତ୍ରୀଙ୍କୁ ଯୋଧପୁରରେ ରେଫର୍ କରାଯାଇଥିଲା । ଦୁର୍ଘଟଣାରେ ୨୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଜୈସଲମେର ପହଁଚି ବସର ନିରୀକ୍ଷଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ବିହାର ନିର୍ବାଚନୀ ପ୍ରଚାର କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି । ପୋକରଣ ବିଧାୟକ ପ୍ରତାପ ପୁରୀ ଏବଂ ବିଧାୟକ ସାଂଗ ସିଂହ ଭାଟି ମଧ୍ୟ ଘଟଣାସ୍ଥଳରେ ପହଁଚିଥିଲେ ।