ନୂଆଦିଲ୍ଲୀ: ସାଇବର ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜଣେ ମହିଳାଙ୍କ ଠାରୁ ସାଇବର ଅପରାଧୀ ୫୦,୦୦୦ ଟଙ୍କାରୁ ଅଧିକ ଠକି ନେଇଛନ୍ତି । ପୀଡିତା ଏକ ଇ-କମର୍ସ ପ୍ଲାଟଫର୍ମରୁ ନିଜ ପାଇଁ ଜୋତା ଅର୍ଡର କରିଥିଲେ। ଅର୍ଡର କରିବାର କିଛି ସମୟ ପରେ ତାଙ୍କୁ ଠିକଣା ଅପଡେଟ୍ କରିବାକୁ ଏକ ମେସେଜ ଆସିଥିଲା । ଏହାପରେ ମହିଳା ଜଣଙ୍କ ମେସେଜରେ ଦିଆଯାଇଥିବା ଲିଙ୍କ୍ ରେ କ୍ଲିକ କରିବା ମାତ୍ରେ ତାଙ୍କ କ୍ରେଡିଟ୍ କାର୍ଡରୁ ଟଙ୍କା ସବୁ ଉଡି ଯାଇଥିଲା ।
ଦିଲ୍ଲୀର ମଧୁଲିକା ଶର୍ମା ନାମକ ଜଣେ ମହିଳା ଏକ ଇ-କମର୍ସ ପ୍ଲାଟଫର୍ମରୁ ୬,୦୦୦ ଟଙ୍କା ମୂଲ୍ୟର ଜୋତା ଅର୍ଡର କରିଥିଲେ। ଏହା ପରେ, ମହିଳାଙ୍କୁ ଏକ ମେସେଜ୍ ମିଳିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଠିକଣାରେ ଘର ନମ୍ବର ଦିଆଯାଇ ନଥିବାରୁ ଆପଣଙ୍କ ଅର୍ଡରର ଡେଲିଭରିକୁ ସ୍ଥଗିତ କରାଯାଇଛି। ପୀଡିତା ଭିନ୍ନ ଭିନ୍ନ ନମ୍ବରରୁ ସମାନ ମେସେଜ୍ ପାଇଥିଲେ। ପୀଡିତା ଏହାକୁ ପ୍ରକୃତ ମେସେଜ୍ ବୋଲି ଭାବି ସେହି ଲିଙ୍କକୁ କ୍ଲିକ୍ କରିଥିଲେ । ଏହି ଲିଙ୍କ୍ ମହିଳାଙ୍କୁ dhlino.cc.in ନାମକ ଏକ ୱେବସାଇଟକୁ ନେଇଯାଇଥିଲା। ମହିଳା ବିବରଣୀ ଦେବା ମାତ୍ରେ ତାଙ୍କ କ୍ରେଡିଟ୍ କାର୍ଡରୁ ୫୧,୭୦୦ ଟଙ୍କା ଗାଏବ ହୋଇଯାଇଥିଲା।
ମହିଳା ଜଣଙ୍କ କହିଛନ୍ତି ଯେ ଯେତେବେଳେ ସେ ଏହି ଠକେଇ ବିଷୟରେ ବ୍ୟାଙ୍କ ଏବଂ ଅନ୍ୟ ଏଜେନ୍ସିଗୁଡ଼ିକୁ ଜଣାଇଥିଲେ, ସେତେବେଳେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ବ୍ୟାଙ୍କ ଏହି ଠକେଇରେ ମହିଳାଙ୍କ କ୍ରେଡିଟ୍ କାର୍ଡରୁ ଗାଏବ ହୋଇଥିବା ଟଙ୍କାକୁ ତାଙ୍କ ବିଲ୍ ସହିତ ଯୋଡ଼ି ଦେଇଥିଲା। ବର୍ତ୍ତମାନ ମହିଳା ଜଣକ ବ୍ୟାଙ୍କ, RBI ଏବଂ ଅନ୍ୟାନ୍ୟ ସଂସ୍ଥାକୁ ସାହାଯ୍ୟ ପାଇଁ ଆବେଦନ କରିଛନ୍ତି।
ଏପରି ଠକେଇରୁ କିପରି ରକ୍ଷା ପାଇବେ?
ଆଜିକାଲି ସାଇବର ଠକେଇର ମାମଲା ଗୁଡ଼ିକ ଦ୍ରୁତ ଗତିରେ ସାମ୍ନାକୁ ଆସୁଛି। ସାଇବର ଠକମାନେ ବିଭିନ୍ନ ଉପାୟରେ ଲୋକଙ୍କୁ ନିଜ ଜାଲରେ ଫସାଇବାକୁ ଚେଷ୍ଟା କରନ୍ତି। ସେମାନଙ୍କଠାରୁ ରକ୍ଷା ପାଇବା ପାଇଁ, ଅନେକ କଥା ମନେ ରଖିବା ଜରୁରୀ -
- ଅଜଣା କିମ୍ବା ସନ୍ଦେହଜନକ ନମ୍ବରରୁ କେବେବି ମେସେଜ୍ କିମ୍ବା ମେଲ୍ ଖୋଲନ୍ତୁ ନାହିଁ
- ସନ୍ଦିଗ୍ଧ ନମ୍ବରରୁ ମେସେଜ୍ କିମ୍ବା ମେଲ୍ ରେ ଦିଆଯାଇଥିବା ଲିଙ୍କ୍ କିମ୍ବା ଆଟାଚମେଣ୍ଟ୍ ଉପରେ କ୍ଲିକ୍ କରନ୍ତୁ ନାହିଁ
- ଯଦି କେହି ଆପଣଙ୍କୁ ଡେଲିଭରି ଏଜେଣ୍ଟ ବୋଲି ଦାବି କରି କଲ୍ କିମ୍ବା ମେସେଜ୍ କରୁଛନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ସୂଚନା ମାଗୁଛନ୍ତି, ତେବେ ସର୍ବଦା ସମ୍ପୃକ୍ତ କମ୍ପାନୀ ସହିତ ଯୋଗାଯୋଗ କରନ୍ତୁ
- ଯଦି ଆପଣ ଠକାମିର ଶିକାର ହୋଇଛନ୍ତି, ତେବେ ତୁରନ୍ତ ବ୍ୟାଙ୍କ ଏବଂ ସାଇବର ଥାନାରେ ଜଣାନ୍ତୁ