ବାରାଣାସୀ: ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ କାଶୀ ବିଶ୍ୱନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଲଗାଯାଇଥିବା ଅସ୍ଥାୟୀ ଗେଟ୍ ଗୁରୁବାର ଶ୍ରାବଣ ମାସର ଶିବରାତ୍ରୀ ଓ ଜୁମା ପୂଜା ଯୋଗୁଁ ବିବାଦଘେରକୁ ଆସିଛି।
ମୁସଲମାନମାନଙ୍କୁ ମସଜିଦ ଭିତରକୁ ପ୍ରବେଶରୁ ରୋକିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି କହି ମୁସଲମାନ ପକ୍ଷ ବିରୋଧ କରିଥିଲେ। ଏହି ନୂଆ ବ୍ୟବସ୍ଥାକୁ ଗ୍ରହଣ କରାଯିବ ନାହିଁ। ବିବାଦ ବଢିବାରୁ ପ୍ରଶାସନ ଗେଟ୍ ନ ଲଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ମୁସଲମାନ ପକ୍ଷ ଏହାର ଢାଞ୍ଚା ହଟାଇବାକୁ ଜିଦ୍ ଧରିଥିଲେ।
ଏ ସମ୍ପର୍କରେ ମୁଫତି-ଏ-ଶାହର, ଇମାମ-ଏ-ଜୁମା ଅବଦୁଲ୍ ବାଟିନ ନୋମାନି କହିଛନ୍ତି ଯେ ଫ୍ରେମ୍ ହଟିବା ପର୍ଯ୍ୟନ୍ତ ସେମାନେ ସେଠାରେ ରହିବେ। ମୁସଲମାନ ଅଧ୍ୟୁଷିତ ଅଞ୍ଚଳ ଡାଲମଣ୍ଡିର ଦୋକାନୀମାନେ ମଧ୍ୟ ଗେଟ୍ ଲଗାଇବା ନେଇ ଗୁଜବ ଯୋଗୁଁ କିଛି ସମୟ ପାଇଁ ଦୋକାନ ବନ୍ଦ ରଖିଥିଲେ। ଉଭୟ ମନ୍ଦିର ଓ ମସଜିଦ୍ ପାର୍ଶ୍ୱରୁ ଲୋକମାନେ ପ୍ରବେଶ ଦ୍ୱାର ଚତୁର୍ଥକୁ ଯାଆନ୍ତି।
ଏ ସମ୍ପର୍କରେ ଶ୍ରୀକାଶୀ ବିଶ୍ୱନାଥ ମନ୍ଦିରର ଅଧିକାରୀ ଶମ୍ଭୁନାଥ କହିଛନ୍ତି ଯେ ଶୁକ୍ରବାର ଉଭୟ ସମ୍ପ୍ରଦାୟରୁ ଆସୁଥିବା ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଏକ ଅସ୍ଥାୟୀ ଗେଟ୍ ଲଗାଯାଉଛି, ଯାହାଦ୍ୱାରା ଭିଡ଼କୁ ସହଜରେ ଗୋଟିଏ ପାର୍ଶ୍ୱରୁ ପ୍ରବେଶ କରି ଅନ୍ୟ ପାର୍ଶ୍ୱରୁ ବାହାରିବାକୁ ଅନୁମତି ମିଳିପାରିବ।
ଏହି ଗେଟ୍ ଲଗାଇବା ପାଇଁ ସୁରକ୍ଷା କମିଟିର ପ୍ରସ୍ତାବ ଥିଲା। ଅନ୍ୟ ପକ୍ଷ ଏହାକୁ ବିରୋଧ କରିବାରୁ କାମ ବନ୍ଦ ହୋଇଯାଇଥିଲା। ଅପରପକ୍ଷରେ ଜ୍ଞାନବାପିରେ ନମାଜ ପାଠ କରିବାକୁ ଆସିଥିବା ଲୋକମାନେ ଗେଟ୍ ଲଗାଯାଉଥିବା ଦେଖି ଏହାକୁ ତୀବ୍ର ବିରୋଧ କରିଥିଲେ।