ଡେରାଡୁନ: ଉତ୍ତରାଖଣ୍ଡର ଅଲମୋଡାରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଯାତ୍ରୀରେ ଭର୍ତ୍ତି ବସ୍ ଖାତରେ ଖସି ପଡିବାରୁ ୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି । ଗଢବାଲ-ରାମନଗର ରୁଟରେ ସଲ୍ଟ ନିକଟରେ ଏହି ଭୟାବହ ଦୁର୍ଘଟଣା ଘଟିଛି । ଆହତଙ୍କୁ ଉଦ୍ଧାର କାରଯାଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ପୀଡିତଙ୍କ ପାଇଁ ସହାୟତାର ଘୋଷଣା କରିବା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
୩ ଆହତଙ୍କୁ ଏମ୍ସ ଋଷିକେଶ ଏୟାରଲିଫ୍ଟ କରାଯାଇଛି । ଜଣେ ଆହତଙ୍କୁ ଏସଟିଏଚ ହଲଦ୍ୱାନୀରେ ଭର୍ତ୍ତି କରାଯାଇଛି । ଆଉ ୧୫ ଆହତଙ୍କ ଚିକିତ୍ସା ରାମନଗର ଉପଜିଲ୍ଲା ହସ୍ପିଟାଲରେ ଚାଲିଛି । ୩୬ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯିବା ସହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।
ସୂଚନା ଅନୁ୍ଯାୟୀ, ସୋମବାର ସକାଳେ ଗୌରୀଖାଲରୁ ଏକ ବସ ରାମନଗର ଅଭିମୁଖେ ଯାତ୍ରା କରିଥିଲା । ବସ୍ ପୂରା ଯାତ୍ରୀରେ ଭର୍ତ୍ତି ଥିଲା । ଏହି ସମୟରେ ସଲ୍ଟ କୁପି ନିକଟରେ ଚାଳକ ବସରୁ ନିୟନ୍ତ୍ରଣ ହରାଇଥିଲେ । ଦେଖୁ ଦେଖୁ ବସ ଗଭୀର ଖାତରେ ଖସି ପଡିଥିଲା । ବସ୍ ଖସିବା ମାତ୍ରେ ଯାତ୍ରୀଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା । ଦୁର୍ଘଟଣା ସମୟରେ କିଛି ଯାତ୍ରୀ ବସରୁ ବାହାରି ଖସି ପଡିଥିଲେ । ଆହତ ଯାତ୍ରୀମାନେ ହିଁ ସକାଳ ପ୍ରାୟ୯ଟାରେ କଂଟ୍ରୋଲ ରୁମକୁ ସୂଚନା ଦେଇଥିଲେ । ସୂଚନା ମିଳିବା ମାତ୍ରେ ସଲ୍ଟ ଓ ରାଣୀଖେତରୁ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା । ଉଦ୍ଧାରକାରୀ ଦଳ ମୃତକ ଓ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ପଠାଇଥିଲେ । ପୌଡି-ଅଲମୋଡା ସୀମା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାସ୍ଥଳ ରାମନଗର ନିକଟରେ ଅବସ୍ଥିତ ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଦୁଃଖ ପ୍ରକାଶ କରିବା ସହିତ ଜିଲ୍ଲା ପ୍ରଶାସନକୁ ତୁରନ୍ତ ରିଲିଫ ଓ ସବୁ ସହାୟତା ଦେବାକୁ ଆଦେଶ ଦେଇଛନ୍ତି । ଆବଶ୍ୟକ ପଡିଲେ ଗୁରୁତର ଆହତ ଯାତ୍ରୀଙ୍କୁ ଏୟାରଲିଫ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ଏସଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଥିଲେ ।