ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଖୁବଶୀଘ୍ର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇପାରନ୍ତି। ହେଜବୁଲ୍ଲା ମୁଖ୍ୟ ସୟଦ ହାସନ ନସରଲ୍ଲାଙ୍କ ମୃତ୍ୟୁ ପରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହା ପ୍ରଥମ କଥାବାର୍ତ୍ତା ହେବ। ବାଇଡେନ କହିଛନ୍ତି ଯେ ଆମେରିକା ସର୍ବଦା ଇସ୍ରାଏଲ ସହ ଛିଡ଼ା ହେବ। ସେ ବେରୁତରେ ଇସ୍ରାଏଲ ଅପରେସନକୁ ସମର୍ଥନ କରି କହିଛନ୍ତି ଯେ ନସରଲ୍ଲାଙ୍କ ମୃତ୍ୟୁ ହଜାର ହଜାର ଇସ୍ରାଏଲ ଏବଂ ଆମେରିକୀୟଙ୍କ ପାଇଁ ନ୍ୟାୟ।
ଏକ ପ୍ରଶ୍ନର ଉତ୍ତରରେ ବାଇଡେନ କହିଛନ୍ତି ଯେ ପୂର୍ଣ୍ଣଯୁଦ୍ଧକୁ ଏଡ଼ାଇବା ଉଚିତ। ଗତ ଚାରି ଦଶନ୍ଧି ମଧ୍ୟରେ ଶତାଧିକ ଆମେରିକୀୟଙ୍କୁ ହତ୍ୟା କରିବା ପାଇଁ ହାସନ ନସରଲ୍ଲା ଏବଂ ହିଜବୁଲ୍ଲା ଦାୟୀ ଥିଲେ। ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ରେ ତାଙ୍କର ମୃତ୍ୟୁ ହଜାର ହଜାର ଆମେରିକୀୟ, ଇସ୍ରାଏଲ ଏବଂ ଲେବାନନ୍ ନାଗରିକଙ୍କ ପାଇଁ ନ୍ୟାୟ।
ବାଇଡେନ କହିଛନ୍ତି ଯେ ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲରେ ହାମାସ ଗଣହତ୍ୟା ଆରମ୍ଭ କରିଥିଲା। ପରଦିନ ନସରଲ୍ଲା ହମାସ ସହ ହାତ ମିଳାଇ ଇସ୍ରାଏଲ ବିରୋଧରେ ଉତ୍ତର ମୋର୍ଚ୍ଚା ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ହତ୍ୟା ମଧ୍ୟ ଏହି ବ୍ୟାପକ ସଂଘର୍ଷର ପରିଣାମ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନିଙ୍କୁ ଚେତାବନୀ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି ଯେ ଯେଉଁମାନେ ଇସ୍ରାଏଲକୁ ଟାର୍ଗେଟ କରିବେ ସେମାନେ ଗମ୍ଭୀର ପରିଣାମ ଭୋଗିବେ। ମଧ୍ୟପ୍ରାଚ୍ୟ ଏବଂ ଇରାନରେ ଏପରି କୌଣସି ସ୍ଥାନ ନାହିଁ ଯେଉଁଠାରେ ଇସ୍ରାଏଲ ପହଞ୍ଚି ପାରିବ ନାହିଁ। ଆପଣ ମଧ୍ୟ ଜାଣନ୍ତି ଯେ ଏହା ସମ୍ପୂର୍ଣ୍ଣ ସତ।
ଅଧିକ ପଢ଼ନ୍ତୁ: ୧,୫୦,୦୦୦ ସରକାରୀ ଚାକିରି ଉଚ୍ଛେଦ କରିବ ପାକିସ୍ତାନ