୧୯୩୧ ଅକ୍ଟୋବର ୧୫ରେ ରାମେଶ୍ଵରମରେ ଜନ୍ମଗ୍ରହଣ କରିଥିଲେ DR . A. P. J. Abdul Kalam । ତାଙ୍କର ପୁରାନାମ ଅବୁଲ ପକୀର ଜୈନୁଲାବଦୀନ ଅବଦୁଲ କାଲାମ । ପିତା ଜନାବ ଜୈନୁଲାବଦୀନ ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ ହୋଇଥିବା ବେଳେ ମାତା ଆଶିୟମ୍ମା ଈଶ୍ୱର ବିଶ୍ୱାସୀ ଥିଲେ। ଖବର କାଗଜ ବିକି କାଲାମ ଦେଶର ଶ୍ରେଷ୍ଟ ଓ ମହାନ ବୈଜ୍ଞାନିକ ହେବାରେ ଗୌରବ ଅର୍ଜନ କରିଥିଲେ। ଏପିଜେ ଅବଦୁଲ କାଲାମ ପାଠ ପଢିଲାବେଳେ ଖବରକାଗଜ ବାଣ୍ଟୁଥିଲେ। ।
୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ଭାରତର ୧୧ତମ ରାଷ୍ଟ୍ରପତି ଭାବରେ ନିଜର କାର୍ଯ୍ୟ ଭାର ସମ୍ଭାଳିଥିଲେ DR . A. P. J. Abdul Kalam । ସେ ତାମିଲନାଡୁର ରମେଶ୍ୱରମରେ ଜନ୍ମ ହୋଇ ମେଘାଳୟର ଶିଲଂରେ ମୃତ୍ୟୁବରଣ କରିଥିଲେ । ଆଉ ବୈଜ୍ଞାନିକ ଜୀବନ ବାଲେଶ୍ଵରର ଚାନ୍ଦିପୁରରେ । କାଲାମ ହିଁ ଅଗ୍ନି ଓ ପୃଥ୍ବୀ ଭଳି ମିଶାଇଲ ତିଆରି କରି ସାରା ବିଶ୍ୱରେ ଭାରତର ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। କାଲାମଙ୍କ ଉଦ୍ୟମ ଏବଂ ପ୍ରୟାସ ପାଇଁ ଭାରତ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ସାମିଲ ହୋଇ ପାରିଥିଲା ।
ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏବଂ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ଏବଂ ଭାରତର ବେସାମରିକ ମହାକାଶ କାର୍ଯ୍ୟକ୍ରମ ଏବଂ ସାମରିକ କ୍ଷେପଣାସ୍ତ୍ର ବିକାଶ ପ୍ରୟାସରେ ଅନ୍ତରଙ୍ଗ ଭାବରେ ଜଡିତ ଥିଲେ କାଲାମ ସାର । ଭାରତର ମିସାଇଲ ମ୍ୟାନ ଭାବରେ ସେ ବେଶ ପରିଚିତ ଥିଲେ । ୧୯୮୦ରେ ସେ ରୋହିଣୀ ଉପଗ୍ରହକୁ ପୃଥିବୀ କକ୍ଷପଥର ଅତି ନିକଟରେ ସ୍ଥାପିତ କରିବାରେ ସକ୍ଷମ ହୋଇଥିଲେ । ପରେ ତାଙ୍କୁ ୧୯୮୨ରେ ଡିଆରଡିଓର ନିର୍ଦେଶକ ଭାବରେ ନିଯୁକ୍ତି ମିଳିଥିଲା ।
କାଲାମଙ୍କୁ ୧୯୮୧ରେ ପଦ୍ମଭୂଷଣ, ୧୯୯୦ରେ ପଦ୍ମ ବିଭୂଷଣ ଏବଂ ୧୯୯୭ରେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । Ignited Minds , Failure is a Teacher , Wings of Fire ଭଳି ଅନେକ ପୁସ୍ତକ ଲେଖିଥିଲେ କାଲାମ ସାର । ଆଉ ତାଙ୍କର ଲିଖିତ ସମସ୍ତ ପୁସ୍ତକରେ ଅଗାଢ଼ ଜ୍ଞାନ ଭାରି ରହିଛି । ଯିଏ ତାଙ୍କର ଲିଖିତ ପୁସ୍ତକକୁ ପଢିଛି ସେ ଆଜି ବି ତାଙ୍କୁ ମନେପକାଉଛି । ତାଙ୍କର ପ୍ରତିଟି ବାଣୀ ଆଜି ସମସ୍ତଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହ ଦେଉଛି । କାଲାମ ସାରଙ୍କର ଗୋଟେ ଗୋଟେ ଶବ୍ଦ ସତେ ଯେପରି ଆତ୍ମ ବିଶ୍ୱାସ ଆଣିଦେଇଥାଏ ।
୨୭ ଜୁଲାଇ ୨୦୧୫ ମେଘାଳୟର ଶିଲଂରେ ଏକ ସଭାରେ ଭାଷଣ ଦେବା ସମୟରେ ହୃଦଘାତ ଯୋଗୁଁ କାଲାମଙ୍କ ନିଧନ ହୋଇଥିଲା । ଖାଲି ହାତରେ ଆସିଥିଲେ ଆଉ ଖାଲି ହାତରେ ଚାଲିଗଲେ । ମୃତ୍ୟୁ ପରେ ସମ୍ପତ୍ତି କହିଲେ କାଲାମ ସାରଙ୍କର କିଛି ବି ନ ଥିଲା । ଜାତୀୟ ସ୍ତରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ହଜାର ହଜାର ଲୋକ ତାଙ୍କ ସହର ରମେଶ୍ୱରମରେ ଆୟୋଜିତ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ, ଯେଉଁଠାରେ ତାଙ୍କୁ ପୂର୍ଣ୍ଣ ରାଜ୍ୟ ସମ୍ମାନରେ ସମାଧି ଦିଆଯାଇଥିଲା । ଆଉ ତାଙ୍କ ମୃତ୍ୟୁର ଦିନ ଥିଲା ସବୁ ଭାରତୀୟମାନଙ୍କ ପାଇଁ ଏକ ଦୁଃଖଦ ଦିନ । ଏମିତି ଜଣେ କେହି ବି ନ ଥିବେ ଯିଏ ତାଙ୍କ ମୃତ୍ୟୁରେ କାନ୍ଦି ନ ଥିବେ । ସେ ସବୁବେଳେ ସମସ୍ତଙ୍କ ପ୍ରିୟ ଥିଲେ ଆଉ ରହିବେ ମଧ୍ୟ । ତାଙ୍କ ଜନ୍ମଦିନ ହେଉଛି ଏକ ପବିତ୍ର ଦିନ ।
ଆଗକୁ ପଢ଼ନ୍ତୁ : ପାର୍ବତୀ କୁଣ୍ଡରେ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ