ଆଜି ହେଉଛି ଗଣେଶ ପୂଜା । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଶ୍ରୀ ବିଘ୍ନ ବିନାଶକଙ୍କର ଆରାଧନା କରାଯାଇଥାଏ । ସିଦ୍ଧି ଓ ବୁଦ୍ଧିର ଦେବତାଙ୍କ ଆବାହନ ପାଇଁ ସାରା ଦେଶ ଆଜି ଚଳଚଞ୍ଚଳ ।
ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଏକ ପବିତ୍ର ପର୍ବ । ପାର୍ବଣ ଋତୁର ପର୍ବ ଗଣେଶ ପୂଜା ଠାରୁ ହିଁ ଆରମ୍ଭ ହୋଇଥାଏ । ଆଜି ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ଘରେ, ଯୁବ ସଂଗଠନ ଓ ବିଭିନ୍ନ କ୍ଲବ ଗୁଡ଼ିକ ଗଣେଶ ପୂଜା ପାଇଁ ଉତ୍ସବ ମୁଖର ହୋଇପଡ଼ିଛି । ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ଗଣେଶ ପୂଜାର ବିଶଷ ମହତ୍ବ ରହିଛି। ଯାହାକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରେ ଗଣେଶ ଚତୁର୍ଥୀ ବେଶ ଖୁବ ଆଡ଼ମ୍ବର ସହ ପାଳନ କରାଯାଉଛି । ଦେଶର ବିଭିନ୍ନ ସ୍ଥାନରୁ ଗଣପତିଙ୍କ ସ୍ଥାପନ ଓ ପୂଜା ହେଉଥିବା ଚିତ୍ର ସାମ୍ନାକୁ ଆସିଛି । ମୁମ୍ବାଇଠାରୁ ଆରମ୍ଭ କରି ମହାରାଷ୍ଟ୍ର ଯାଏ ଆଦି ବଡ ବଡ ସହରରେ ବହୁତ ଆଡମ୍ବର ସହକାରରେ ଗଜାନନଙ୍କର ଏହି ପର୍ବକୁ ପାଳନ କରାଯାଏ । ପ୍ରଭୁ ବିଘ୍ନ ବିନାଶକ ସବୁ ବିପଦ କୁ ଖଣ୍ଡନ କରିଥାନ୍ତି ବୋଲି ଲୋକମାନଙ୍କ ମନରେ ଏକ ବିଶ୍ୱାସ ରହିଥାଏ । ଆଉ ଆଜି ଗଣେଶ ପୂଜା ପାଇଁ ପୁରା ଚଳଚଞ୍ଚଳ ହୋଇ ଉଠିଛି ସାରା ମୁମ୍ବାଇ ସହର । ସବୁଠି ଦେଖିବାକୁ ମିଳୁଛି ଉତ୍ସବର ମାହୋଲ ।
ସୂଚନା ଅନୁସାରେ ମୁମ୍ବାଇ ସହରର ପ୍ରସିଦ୍ଧ ଗଣେଶ ମଣ୍ଡପ ହେଉଛି ଗୋୱଡ ସାରସ୍ୱତ ବ୍ରାହ୍ମଣ(ଜିଏସ୍ବି) ସେବା ମଣ୍ଡଲ । ଏହି ସଂସ୍ଥା ପକ୍ଷରୁ ଚଳିତ ବର୍ଷ ପୂଜା ପାଇଁ ସ୍ୱତନ୍ତ୍ର ଗଣେଶ ମୂର୍ତ୍ତି ତିଆରି କରାଯାଇଛି । ଏହି ମୂର୍ତ୍ତିରେ ୯୬ କେଜି ସୁନା ଓ ୩୩୬ କେଜି ରୁପାର ବ୍ୟବହାର କରାଯାଇଛି । ଗଣେଶ ମୁର୍ତ୍ତି ତିଆରି କରିବା ପାଇଁ ସେବା ମଣ୍ଡଳକୁ ଦାନ ସୂତ୍ରରେ ୩୭ କେଜି ରୁପା ଓ ୨୫୦ ଗ୍ରାମ ସୁନା ପଦକ ମିଳିଥିଲା । ଏହାବାଦ ସଂସ୍ଥା ପକ୍ଷରୁ ମୂର୍ତ୍ତି ତିଆରି ପାଇଁ ଅଧିକ ପରିମାଣର ସୁନା ଓ ରୁପାର ବ୍ୟବହାର କରାଯାଇଛି । ଚଳିତ ବର୍ଷ ମୋଟ ୬୯ କେଜି ସୁନା ଓ ୩୩୬ କେଜି ରୁପାରେ ଗଣେଶଙ୍କ ମୂର୍ତ୍ତି ତିଆରି କରାଯାଇଛି। ସକାଳୁ ସକାଳୁ ଗଣପତିଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଧାଡ଼ି ଧାଡ଼ି କରି ଛିଡ଼ା ହୋଇଥିଲେ । ଆଜିର ଏହି ଅବସରରେ ଭକ୍ତମାନେ ଗଜାନନଙ୍କର ବିଭିନ୍ନ ଅବତାରର ଦର୍ଶନ କରିଛନ୍ତି । ଜିଏସ୍ବି ସେବା ମଣ୍ଡଳର ଜଣେ ପ୍ରତିନିଧି କହିଛନ୍ତି, “ଚଳିତ ବର୍ଷ ଆମେ ୬୯ତମ ଗଣେଶ ଉତ୍ସବ ପାଳନ କରିଛୁ । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ୨୫୦ ଗ୍ରାମ ରୁ ଅଧିକ ସୁନା ଓ ୩୬ କେଜି ଅଧିକ ରୁପା ବ୍ୟବହାର କରିଛୁ । ଆଜି ଏବଂ ଆସନ୍ତାକାଲି ଏକ ସ୍ୱତନ୍ତ୍ର ଯଜ୍ଞ କରାଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ, ଜିଏସ୍ବି ମଣ୍ଡଳ ପକ୍ଷରୁ ୩୬୦.୪୫ କୋଟି ଟଙ୍କାର ବୀମା କରାଯାଇଛି। ଏହା ମଧ୍ୟରେ ପେଣ୍ଡାଲକୁ ଆସୁଥିବା ଲୋକଙ୍କ ପାଇଁ ୨୯୦ କୋଟି ଟଙ୍କା, ଗହଣା ପାଇଁ ୩୯ କୋଟି ଓ ଜନସାଧାରଙ୍କ ଦାୟିତ୍ୱ ପାଇଁ ୨୦ କୋଟି ଟଙ୍କା ରହିଛି ।
ସୁରକ୍ଷା ପାଇଁ ସଂସ୍ଥା ପକ୍ଷରୁ ଉନ୍ନତମାନର ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି । ମହାରାଷ୍ଟ୍ରର ବିଭିନ୍ନ ପ୍ରାନ୍ତରେ ୧୦ ଦିନ ଧରି ଗଣେଶ ପୂଜା ପାଳନ କରାଯାଏ । ଲୋକ କଥା ଅନୁଯାୟୀ, ଗଣେଶ ଚର୍ତୁଥୀ ସମୟରେ ଭଗବାନ ଗଣେଶ ମା’ ପାର୍ବତୀଙ୍କ ସହ ଧରାପୃଷ୍ଠକୁ ଆସି ଥାଆନ୍ତି । ଚଳିତ ବର୍ଷ ଗଣେଶ ପୂଜା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୨୯ ତାରିଖ ଯାଏ ଚାଲିବ ବୋଲି ସୂଚନା ମିଳିଛି ।
ଆଗକୁ ପଢନ୍ତୁ :- ନୂଆ ସଂସଦ ଭବନରେ ଆଗତ ହେବ ୩୩% ମହିଳା ସଂରକ୍ଷଣ ବିଲ୍