ନୂଆଦିଲ୍ଲୀ: ମୋଦୀ ସରକାର ନିଜର ତୃତୀୟ କାର୍ଯ୍ୟକାଳରେ ଦୁର୍ନୀତିଖୋର ଅଧିକାରୀ ଓ କର୍ମଚାରୀଙ୍କ ଚିହ୍ନଟ କରି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ପ୍ରସ୍ତୁତି କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରୀ ଓ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ମନ୍ତ୍ରଣାଳୟର କାର୍ଯ୍ୟରେ ଅଧିକ ପାରିଦର୍ଶିତା ସୁନିଶ୍ଚିତ କରିବା ପାଇଁ ମିଶନ ମୋଡରେ କାମ କରନ୍ତୁ । ମନ୍ତ୍ରୀ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ରୀୟ ନାଗରିକ ସେବା(ସିସିଏସ)ର ନିୟମ ମୁତାବକ କେନ୍ଦ୍ରୀୟ ସଚିବଙ୍କୁ କର୍ମଚାରୀଙ୍କ ମୂଲ୍ୟାଙ୍କନ କରିବା ଓ ଅଭିଯୋଗ ଆସୁଥିବା ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଉପରେ ଗୁରୁତ୍ୱ ଦିଆଯାଇଛି ଯେ, ସଚ୍ଚୋଟ ଓ ନିଷ୍ଠାପର କାମ କଲେ ହିଁ ସରକାର ଜନତାଙ୍କୁ ପୁରସ୍କୃତ କରି ପାରିବ । ଜନ ଅଭିଯୋଗର ତ୍ୱରିତ ସମାଧାନ ଓ ଉନ୍ନତ ଶାସନ ଉପରେ ଅଧିକ ଜୋର ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଅଧିକାରୀ ଓ ମନ୍ତ୍ରୀଙ୍କୁ ଏହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଫାଇଲ ଗୋଟିଏ ଡେସ୍କରୁ ଅନ୍ୟ ଡେସ୍କକୁ ଯେମିତି ପକା ନ ଯାଏ । ପସ୍ତାହରେ ଗୋଟିଏ ଦିନ ଜନଶୁଣାଣି କରି ଏହାର ସମାଧାନ କରିବାକୁ କହିଛନ୍ତି । ମନ୍ତ୍ରଣାଳୟରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ଲୋକଙ୍କ ଜୀବନ ସରଳ କରିବା ଦିଗରେ କାମ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
ସୂଚନାଯୋଗ୍ୟ, ଗତ ୧୦ ବର୍ଷରେ ମୋଦୀଙ୍କ କାର୍ଯ୍ୟକାଳରେ ପିଏମମକୁ ଲୋକଙ୍କ ଅଭିଯୋଗ ସଂପର୍କିତ ୪.୫ କୋଟି ପତ୍ର ମିଳିଛି । କିନ୍ତୁ ମନମୋହନ ସିଂଙ୍କ କାର୍ଯ୍ୟକାଳର ଅନ୍ତିମ ପାଞ୍ଚ ବର୍ଷରେ କେବଳ ୫ ଲକ୍ଷ ଅଭିଯୋଗ ପତ୍ର ପିଏମଓକୁ ଆସିଥିଲା ।